ଜୟପୁର: ଫୁଡ ଲାଇସେନସ୍ ନବୀକରଣକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମିଲର ଓ ଧାନ କ୍ରୟକାରୀ ସଂସ୍ଥା। କ୍ରୟକାରୀ ସଂସ୍ଥା ୨୦ଟି ଏସଏଚଜି ଗୃପ ,୨ଟି ପାଣିପଂଚାୟତ , ୨୦ଲ୍ୟାମ୍ପସ୍ ଓ ଧାନ ନେଇ ଚାଉଳ ଦେବାକୁ ଥିବା ୯୭ଟି ମିଲକୁ ଫୁଡ ଲାଇସେନସ୍ ନବୀକରଣ ପାଇଁ ଆବେଦନ କରିଥିଲେ। ତେବେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିନଥିବାରୁ ଏମାନଙ୍କୁ ଜରିମାନା ପଡ଼ିଥିବା ସୂଚନା ମିଳିଛି। ଏପରିକି ଏହାକୁ ନେଇ ମିଲ ମାଲିକ ମାନେ ପ୍ରତିକ୍ରୀୟା ପ୍ରକାଶ କରିବା ସହ ନିଜ ନିଜ ସଂଘ ଗୁଡିକ ପକ୍ଷରୁ ଜରିମାନା ଟଙ୍କାରେ କୋହଳ କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧପତ୍ର ଦେଇଛନ୍ତି। ଏପରିକି ଜରିମାନା ବାବଦକୁ କାହାକୁ ୧୦ହଜାର ଟଙ୍କା ତ ଆଉ କାହାକୁ ୬୦ହଜାର ଟଙ୍କା ପଡ଼ିଥିବା କହିଛନ୍ତି ମିଲର।
ପ୍ରତ୍ୟେକ ଖାଦ୍ୟ ପ୍ରସ୍ତୁତ କରୁଥିବା ମିଲ, ଧାନ କ୍ରୟକାରୀ ସଂସ୍ଥା ଆଦି ଫୁଡ ଲାଇସେନସ୍ ନବୀକରଣ ପାଇଁ ଅନଲାଇନରେ ଆବେଦନକରିବେ। ଆବେଦନ କରିବା ପରେ ପ୍ରଥମ କରି ଆବେଦନ କରୁଥିଲେ କେବଳ ଲାଇସେନସ୍ ଫି ପାଂଚ ହଜାର ଟଙ୍କା ଅନଲାଇନରେ ଜମା କରିବାକୁ ପଡେ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ। ଏପ୍ରିଲରୁ ମେ’ ମାସ ପର୍ଯ୍ୟନ୍ତ ପୁରୁଣା ମିଲ୍ ଆଦି ବାର୍ଷିକ ରିଟର୍ଣ୍ଣ ପାଇଲ୍ କରିବା କଥା। କିନ୍ତୁ ଏମାନେ ବର୍ଷକୁ ଥରେ ଲାଇସେନସ୍ ଫି ଦାଖଲ କରି ଚୁପ ରହି ଆସୁଥିଲେ। ଏବେ ଅନଲାଇନରେ ଆବେଦନ କରିବା ପରେ ଯେଉଁ ଧାନ ମିଲ୍, ଧାନ କ୍ରୟକାରୀ ସଂସ୍ଥା କିମ୍ବା ଖାଦ୍ୟପ୍ରସ୍ତୁତ କାରୀ ସଂସ୍ଥା କେତେ ବର୍ଷ ତଥା କେତେ ଦିନର ରିଟର୍ଣ୍ଣ ପାଇଲ୍ କରି ନାହିଁ ତାହା ପ୍ରଦର୍ଶିତ ହେଉଛି। ଏବଂ ଦିନକୁ ଶହେ ଟଙ୍କା ହିସାବରେ ଜରିମାନା ମଧ୍ୟ ଉକ୍ତ ଆବେଦନକାରୀଙ୍କ ସାଇଟରେ ଟଙ୍କା ଜମା କରିବାକୁ ନିର୍ଦେଶ ଦେଉଛି ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। ଏହି କ୍ରମରେ ଯେଉଁ ଧାନ ମିଲ ଯେତେ ପୁରୁଣା ଏବଂ ରିଟର୍ଣ୍ଣ ପାଇଲ କରି ନାହାନ୍ତି ସେ ଅନୁଯାୟୀ ପେନାଲଟି ଜୋରିମାନା ବାନ୍ଧିବାକୁ ପଡ଼ିବ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। ପୂର୍ବରୁ ସଚେତନତା ସୃଷ୍ଟି କରିବା କିମ୍ବା ପୂର୍ବସୂଚନା ନଥାଇ ଅଚାନକ ଏଭଳି ହେବା ଠିକ୍ ନୁହେଁ ବୋଲି ମିଲ ମାଲିକ ମାନେ କହିଛନ୍ତି। ଏହି ଲାଇସେନସ୍ ନଥିଲେ ଧାନ ଉଠାଇ ଚାଉଳ ଦେବା ସମୟରେ ଏଫସିଆଇ ଏହି ଚାଉଳକୁ ଗ୍ରହଣ କରିବ ନାହିଁ , ଏହା ଚିନ୍ତା ଜନକ ବିଷୟ ବୋଲି କିଛି ମିଲର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମଗ୍ର ରାଜ୍ୟରେ ଏହି ନିୟମ ଲାଗୁ ହୋଇଥିବାରୁ ସେ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନର ସୁତ୍ର କିଛି ବାହାର କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ।