ଚଳିତ ବର୍ଷ ୧ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ ଲକ୍ଷ୍ୟ, ବିଶ୍ୱ ଖାଦ୍ୟ ଦିବସରେ ୧୪ ଜଣ ମାଣ୍ଡିଆ ଚାଷୀଙ୍କୁ ପୁରସ୍କୃତ କରାଯିବ

ଭୁବନେଶ୍ବର : ଚଳିତ ବର୍ଷ ଭଲ ମାଣ୍ଡିଆ ଉତ୍ପାଦନ କରିଥିବା ସଫଳ ଚାଷୀଙ୍କୁ ସରକାର ପୁରସ୍କୃତ କରିବେ। ଆସନ୍ତା ୧୬ ତାରିଖ ଦିନ ବିଶ୍ବ ଖାଦ୍ୟ ଦିବସ ଅବସରରେ ମାଣ୍ଡିଆ ଚାଷ ହେଉଥିବା ୧୪ଟି ଜିଲ୍ଲାର ୧୪ ଜଣ ସଫଳ ଚାଷୀଙ୍କୁ ପୁରସ୍କୃତ କରିବାକୁ କୃଷି ବିଭାଗ ନିଷ୍ପତ୍ତି ନେଇଛି। ଭଲ ମାଣ୍ଡିଆ ଉତ୍ପାଦନ କରିଥିବା ସଫଳ ଚାଷୀଙ୍କୁ ଜିଲ୍ଲା ସ୍ତରରୁ ଚିହ୍ନଟ କରିବା ପାଇଁ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ମିଲେଟ ମିସନ ଜରିଆରେ ଚଳିତ ବର୍ଷ ୧ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ଉତ୍ପାଦନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୧୭ରୁ ଓଡ଼ିଶାରେ ମିଲେଟ ମିସନ କାର୍ଯ୍ୟକାରୀ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ମାଣ୍ଡିଆ ଚାଷ ହେଉଥିବା ୭ଟି ଜିଲ୍ଲାକୁ ଏହି ମିସନରେ ସାମିଲ କରାଯାଇଥିଲା। ଏବେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ୧୪ଟି ଜିଲ୍ଲାରେ ମାଣ୍ଡିଆ ଚାଷ କରାଯାଉଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ ମିସନ କାର୍ଯ୍ୟ କରୁଛି। ଓଡ଼ିଶା ମିଲେଟ ମିସନ ଜରିଆରେ ଚାଷୀକୁ ମାଣ୍ଡିଆ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବା ଠୁ ଆରମ୍ଭ କରି ବିପଣନ ଓ ଉତ୍ପାଦନ ପରବର୍ତ୍ତୀ ସମୟରେ ମୂଲ୍ୟଯୁକ୍ତ ସହାୟତା ଯୋଗାଇ ଦିଆଯାଉଛି। ଆସନ୍ତା ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଓଡ଼ିଶା ମିଲେଟ ମିସନ କାର୍ଯ୍ୟ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ମିଲେଟ ମିସନ ସଫଳତାକୁ ଦେଖି ନିକଟରେ ସବୁ ରାଜ୍ୟରେ ମାଣ୍ଡିଆ ଚାଷ କରିବାକୁ ଭାରତର ନୀତି ଆୟୋଗ ମଧ୍ୟ ସୁପାରିସ କରିଥିଲେ। ୨୦୧୮-୧୯ ବର୍ଷରେ ଏହିସବୁ ଜିଲ୍ଲାରୁ ୧୮ ହଜାର କ୍ବିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଥିଲା। ଏ ବର୍ଷ ୧ ଲକ୍ଷ କ୍ବିଣ୍ଟାଲ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର। ଆସନ୍ତା ନଭେମ୍ବର ୧୫ ତାରିଖରୁ କ୍ବିଣ୍ଟାଲ ପିଛା ୩ ହଜାର ୧୫୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ହିସାବରେ ଏସବୁ ଜିଲ୍ଲାରୁ ମାଣ୍ଡିଆ ସଂଗ୍ରହ କରାଯିବ।

ସଫଳ ମାଣ୍ଡିଆ ଚାଷୀକୁ ପୁରସ୍କୃତ କରିବାକୁ ବିଶ୍ବ ଖାଦ୍ୟ ଦିବସ ଅବସରରେ ଓଡ଼ିଶା ମିଲେଟ ମିସନ ପକ୍ଷରୁ ଆୟୋଜିତ ହେବାକୁ ଥିବା ପୁଷ୍ଟିଯୁକ୍ତ ଖାଦ୍ୟ ସଂକ୍ରାନ୍ତ ଜାତୀୟ କର୍ମଶାଳାରେ ବଛା ବଛା ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥିପାଇଁ ମିଲେଟ ମିସନ ଯୁଗ୍ମ ନିର୍ଦ୍ଦେଶକ ୧୪ଟି ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ପୁରସ୍କାର ପାଇଁ ଚାଷୀଟିଏ ଅନ୍ୟୂନ ଗୋଟିଏ ଏକର ଜମିରେ ମାଣ୍ଡିଆ ଚାଷ କରିବା ସହ ବୈଜ୍ଞାନିକ ପ୍ରଣାଳୀରେ ଧାଡ଼ି ରୁଆ କରିଥିବ। ଏହାସହିତ ସମ୍ପୃକ୍ତ ଚାଷୀର ଭଲ ଗୁଣାତ୍ମକ ମାଣ୍ଡିଆ ଅଧିକ ଅମଳ ହୋଇଥିବ। ଏହି ୩ଟି ସର୍ତ୍ତ ଆଧାରରେ ୨୦୧୮-୧୯ ବର୍ଷ ପାଇଁ ମାଣ୍ଡିଆ ଚାଷ ହେଉଥିବା ଜିଲ୍ଲାରୁ ଜଣେ ଲେଖାଏଁ ଚାଷୀଙ୍କୁ ପୁରସ୍କୃତ କରିବାକୁ ସରକାର ଯୋଜନା କରିଛନ୍ତି। ଏହାଦ୍ବାରା ଅଧିକରୁ ଅଧିକ ଚାଷୀ ମାଣ୍ଡିଆ ଚାଷ ପ୍ରତି ଆକୃଷ୍ଟ ହେବେ‌ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର