କୋରାପୁଟ : ସରକାର କିଣିବେ ମାଣ୍ଡିଆ। ସରକାର ଏହି ନିଷ୍ପତ୍ତି ନେଇଥିଲା ବେଳେ ମଣ୍ଡି କରାଯାଇ ମାଣ୍ଡିଆ କିଣାବିକା ହେବ। ଏଥିପାଇଁ ପ୍ରସ୍ତୁତି ଚାଲିଛି। ଆସନ୍ତା ସପ୍ତାହରେ ମାଣ୍ଡିଆ ମଣ୍ଡି ଖୋଲିବ। ଜିଲ୍ଲାରେ ୩୧ଟି ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ୪୦ ହଜାର କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
କୋରାପୁଟ ଜିଲ୍ଲାରେ ଭଲ ମାଣ୍ଡିଆ ଚାଷ ହୁଏ। କିନ୍ତୁ ମାଣ୍ଡିଆର ଉପଯୁକ୍ତ ଦର ପାଇ ନ ଥାନ୍ତି ଚାଷୀ। ଅଧିକାଂଶ ସମୟରେ ମାଣ୍ଡିଆର ଅଭାବୀ ବିକ୍ରି ହୁଏ। ତେଣୁ ସରକାର ମାଣ୍ଡିଆ କିଣି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଦିବାସୀ ଉନ୍ନୟନ ସମବାୟ ନିଗମ ମାଧ୍ୟମରେ ଏହି ମାଣ୍ଡିଆ କିଣିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ଜିଲ୍ଲାର ସମସ୍ତ ବ୍ଲକରେ ମଣ୍ଡି ଖୋଲିବ। ଜିଲ୍ଲାରେ ସମୁଦାୟ ୩୧ଟି ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରୁ ୨୪ଟି ମଣ୍ଡି କୋରାପୁଟ ଉପଖଣ୍ଡରେ ରହିବ। ମାଣ୍ଡିଆ କରିଥିବା ଚାଷୀମାନେ ନିକଟସ୍ଥ ସେବା ସମବାୟ ସମିତିରେ ନିଜ ନାମ ପଂଜୀକରଣ କରିବେ। ପରେ ମଣ୍ଡିରେ ମାଣ୍ଡିଆ ବିକ୍ରି କରିବେ। ପରେ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଚାଲିଯିବ। ଏଫଏକ୍ୟୁ ମାନର ମାଣ୍ଡିଆ କୁଇଣ୍ଟାଲ ପ୍ରତି ଦର ୨୮୯୭ ଟଙ୍କା ରହିଛି।।
ଚଳିତବର୍ଷ ଜିଲ୍ଲାରେ ୪୦ ହଜାର କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ବିଭିନ୍ନ ଲ୍ୟାମ୍ପସକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ମାଣ୍ଡିଆର ଏଫଏକ୍ୟୁ ମାନ ନିର୍ଦ୍ଧାରଣ ନେଇ ଆଜି ଏକ ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଉପଜିଲ୍ଲାପାଳ ଲଳିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରାଙ୍କ ସମେତ ସମବାୟ ବିଭାଗ ଓ ଆରଏମସି ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Growing-Finger-Millets-f.jpg)