ପୁରୀ: ସର୍ବସ୍ବ ଗିଳିବା ପରେ ଏବେ ପୁରୀ ବେଳାଭୂମି ଉପରେ ଲୋଲୁପ ନଜର ପକାଇଛନ୍ତି ଜମିମାଫିଆ। କିଛି ପ୍ରଭାବଶାଳୀଙ୍କୁ ହାତ କରି ଏବେ ଷ୍ଟର୍ଲିଙ୍ଗ ଛକ ନିକଟ ପୁରୀ ବେଳାଭୂମିକୁ ପ୍ଲଟିଂ କରିବାକୁ ଆରମ୍ଭ କରିଛନ୍ତି ଷଡ଼୍‌ଯନ୍ତ୍ର। ନୋଟାରି ସତ୍ୟପାଠ ଜରିଆରେ ବେଆଇନ୍‌କୁ ଆଇନ ଦର୍ଶାଇବାକୁ ଚଳାଇଛନ୍ତି ଯୋଜନା। ପ୍ଲଟିଂ ପାଇଁ ବେଳାଭୂମିରେ ଶହ ଶହ ହଳଦିଆ ଖୁଣ୍ଟି ପୋତାଯାଇଛି। ଅପରପକ୍ଷେ ସରକାରୀ ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରି ନିର୍ମାଣ ଚାଲିଛି କଂକ୍ରିଟ୍‌ ଘର। ଏଥିପାଇଁ ପାଚେରି ଉଠା କାମ ଜାରିରହିଛି। ଡିପିସି ପଡ଼ିବା ପରେ ପିଲାର୍‌ ପାଇଁ ଛଡ଼ ବି ପଡ଼ିସାରିଛି। ଏହାକୁ ଆଗାମୀ ଦିନରେ ଏକ ଫାର୍ମହାଉସ କରିବାକୁ ଯୋଜନା କରାଯାଇଛି। ଏନେଇ ଖବର ପ୍ରକାଶ ପରେ ପୁରୀ ଜିଲ୍ଲା ପ୍ରଶାସନ ଏ ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନିର୍ମାଣ ଭାଙ୍ଗିବା ସହ ଏହି ଜବରଦଖଲକୁ ମୁକ୍ତ କରିବାକୁ ଆଇନଗତ ଦିଗର ତର୍ଜମା କରୁଛି। ଏଥିପାଇଁ ସ୍ବତନ୍ତ୍ର ପ୍ରାଶାସନିକ ଦଳ ବି ଗଠନ କରାଯାଇଛି।

Advertisment

ଷ୍ଟର୍ଲିନ୍‌ ଛକ ବୁଲାଣି ନିକଟରେ ବେଳାମାର୍ଗ ରାସ୍ତାଠାରୁ ସମୁଦ୍ର କୂଳ ପର୍ଯ୍ୟନ୍ତ ପ୍ରାୟ ଦେଢ଼ ଏକର ବିସ୍ତୃତ ବେଳାଭୂମିକୁ ପ୍ଲଟିଂ ପାଇଁ ଶହ ଶହ ହଳଦିଆ ଖୁଣ୍ଟି ପୋତାଯାଇଛି। ଆଉ ଏହାମଧ୍ୟରେ ରାସ୍ତାକଡ଼ ପାର୍ଶ୍ବରେନିର୍ମାଣ ଚାଲିଛି ଏକ କଂକ୍ରିଟ୍‌ ଘର। ପ୍ରାୟ ଦେଢ଼ହଜାର ବର୍ଗଫୁଟ ଜାଗାରେ ଏହି ନିର୍ମାଣ ଚାଲିଛି। ପିକେଡିଏ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏହି ନିର୍ମାଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ବି ଆଜି ସୁଦ୍ଧା ନିର୍ମାଣ ବନ୍ଦ ହୋଇନି। ଆଜି ବି ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ବେଳାଭୂମି ଉପରେ ଏକ ବ୍ୟକ୍ତିଗତ ଘର ନିର୍ମାଣ ସଂପର୍କିତ ଅଭିଯୋଗ ଆମ ପାଖରେ ପହଞ୍ଚିଛି। ତତ୍କାଳ ପିକେଡିଏ କର୍ତ୍ତୃପକ୍ଷ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ସେଟେଲ୍‌ମେଣ୍ଟରେ ବେଳାଭୂମିରେ କିଛି ଜାଗା ସ୍ଥିତିବାନ ବୋଲି ଦର୍ଶାଯାଇଛି। ସେହି ଅଧାରରେ ଏଭଳି ପ୍ଲଟିଂ ଓ ଜବରଦଖଲ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏଣୁ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାକି ବେଳାଭୂମି ସୁରକ୍ଷା ଆମର ଦାୟିତ୍ବ। ଏଣୁ ସେଟେଲ୍‌ମେଣ୍ଟରେ ଯେଉଁ ତ୍ରୁଟି ହୋଇଛି, ତାହା କିଭଳି ସଂଶୋଧନ ହୋଇପାରିବ ସେ ଦିଗରେ ଆମେ ଦୃଷ୍ଟି ଦେଉଛୁ। କେଉଁ ପରିସ୍ଥିତିରେ ଏହା ହୋଇଛି, ଆମେ ତାହାର ତଦନ୍ତ କରୁଛୁ। ବେଳାଭୂମି କିଭଳି ସୁରକ୍ଷିତ ରହିପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି।

ଉପଜିଲ୍ଲାପାଳ ଗୋପିନାଥ କୁଅଁର କହିଛନ୍ତି, ଯେଉଁ ଜାଗାରେ ପ୍ଲଟିଂ ଓ ନିର୍ମାଣ ହେଉଛି, ତାହା ସିପସରୁବାଲି ମୌଜା। ସିପସରୁବାଲି ମୌଜା ନଟ୍‌ ଫାଇନାଲ୍‌ ଜାଗା। ଏଣୁ ଯେଉଁମାନେ ବି ନିର୍ମାଣ ଓ ପ୍ଲଟିଂ କରୁଛନ୍ତି, ତାହା ସଂପୂର୍ଣ୍ଣ ବେଆଇନ୍‌। ଯେଉଁ ଜାଗାରେ ପ୍ଲଟିଂ ହୋଇଛି, ତାହା ସରକାରୀ ଜାଗା। ଏଣୁ ଯେଉଁ ବ୍ୟକ୍ତି ଏଭଳି କରିଛନ୍ତି, ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରୁଛୁ। ଜବରଦଖଲ ଆଇନ ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯିବ। ନୋଟାରି ପାଖ‌ରେ ସତ୍ୟପାଠ କରି ଜମି କିଣାବିକା ହେଉଥିବା ନଜରକୁ ଆସୁଛି। ଏଭଳି ଜାଗା କିଣାବିକା ନ କରିବାକୁ ଅନୁରୋଧ କରୁଛୁ। ଏଥିସହ ଯେଉଁମାନେ ନୋଟାରିସତ୍ୟପାଠ ଜରିଆରେ ଏଭଳି ବେଆଇନ୍‌ କାର୍ଯ୍ୟକୁ ପ୍ରଶ୍ରୟ ଦେଉଛନ୍ତି, ସେମାନଙ୍କ ବିରୋଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ କୁଅଁର କହିଛନ୍ତି। ପିକେଡିଏ ସଂପାଦକ ମାୟାଧର ବେହେରା କହିଛନ୍ତି, ବେଳାଭୂମି ଉପରେ ନିର୍ମାଣ ଚାଲିଥିବା ଘରକୁ ନିଶ୍ଚିତ ଭଙ୍ଗା ହେବ। ଏ ଦିଗରେ ଆମେ ସିଆର୍‌ଜେଡ୍‌କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେଉଛୁ।