ଧାର୍ଯ୍ୟ ସମୟରେ ପ୍ରକଳ୍ପ ଶେଷ କର

କୋଷ୍ଟାଲ ହାଇୱେ, ଭୁବନେଶ୍ବର ରିଙ୍ଗରୋଡ୍‌, ପାରାଦୀପ-ବଡ଼ବିଲ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ରବିବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଥିବା ତିନିଟି ବଡ଼ ପ୍ରକଳ୍ପର ସମୀକ୍ଷା କରିଛନ୍ତି। କୋଷ୍ଟାଲ ହାଇୱେ ପ୍ରକଳ୍ପ (ଖୋର୍ଦ୍ଧା ଟାଙ୍ଗିରୁ – ଦୀଘା), ଭୁବନେଶ୍ବର ରିଙ୍ଗ୍‌ରୋଡ୍‌ (ଖୋର୍ଦ୍ଧା ଟାଙ୍ଗିରୁ କଟକ ଟାଙ୍ଗି), ପାରାଦୀପ-ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ଲେନ୍ ବିଶିଷ୍ଟ ଅର୍ଥନୈତିକ କରିଡର ନିର୍ମାଣ ପାଇଁ ଉଭୟ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ରାଜି ହୋଇଛନ୍ତି। ତେଣୁ ଯଥାସମ୍ଭବ ଶୀଘ୍ର ଟେଣ୍ଡର ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ତୁରନ୍ତ କାମ ଆରମ୍ଭ କରିବାକୁ ଶ୍ରୀ ପ୍ରଧାନ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ଏବଂ ଆଗାମୀ ଦିନରେ ହେବାକୁ ଥିବା ଆଉ କିଛି ଜାତୀୟ ରାଜପଥ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ପୂର୍ବ ଭାରତର ଭିତ୍ତିଭୂମି ବିକାଶ ହେବ ଏବଂ ପୂର୍ବ ଭାରତର ବିକାଶର କେନ୍ଦ୍ରବିନ୍ଦୁରେ ଓଡ଼ିଶା ରହିବ। ତେଣୁ ଏହି ସମସ୍ତ ପ୍ରକଳ୍ପ କିଭଳି ଧାର୍ଯ୍ୟ ସମୟରେ ଶେଷ ହେବ ସେ ନେଇ ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ରାଜ୍ୟରେ ଚାଲୁଥିବା ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ଓଡିଶାର ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବ। ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିବା ସହ ପଣ୍ୟ ପରିବହନରେ ସହାୟକ ହେବ। ଏହି ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଓଡ଼ିଶା ମୁଖ୍ୟ ଆର୍‌.ପି ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର