ପୁରୀ: ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ତିନି ରଥର ଆବଶ୍ୟକ ମରାମତି ଶେଷ ହୋଇଛି। ଆସନ୍ତାକାଲିର ଦକ୍ଷିଣମୋଡ଼ ପୂର୍ବରୁ ରେଳ ବିଭାଗ ଓ ପୂର୍ତ୍ତ ବିଭାଗ ସହଯୋଗରେ ତିନି ରଥର ଆବଶ୍ୟକ ମରାମତି କାର୍ଯ୍ୟ ଶେଷ ହୋଇଛି। ରଥର ଚକରେ ଥିବା ଫାଟ ସ୍ଥାନରେ ନଟ୍‌ବୋଲ୍ଟ ଦେଇ ଲୁହାର କ୍ଲାମ୍ପ ସଂ ଯୋଗ କରାଯାଇଛି।

Advertisment

ଗତକାଲି ରଥଯାତ୍ରା ବୈଷୟିକ କମିଟି ସଦସ୍ୟ ଏନ୍‌ ସି ପାଲ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଜିତ କୁମାର ମହାପାତ୍ର, ତିନି ରଥର ମୁଖ୍ୟ ବିଶ୍ବକର୍ମା ପ୍ରମୁଖ ଶ୍ରୀଗୁଣ୍ଡିଚା ସମ୍ମୁଖରେ ବିଜେ ତିନି ରଥର ଯାଞ୍ଚ ବେଳେ ଦୁଇ ରଥର ଚକରେ ଫାଟ ରହିଥିବା ଜଣାପଡ଼ିଛି। ବଡ଼ଠାକୁର ବଳଭଦ୍ରଙ୍କ ପଡ଼ିନାହାକା ଚକ ଓ ଦେବଦଳନ ରଥର ବଡ଼ଉଛୁଳା ଚକରେ ଫାଟ ରହିଥିଲା। ଦୁଇ ଚକର ପଇରେ ଫାଟ ରହିଥିଲା। ପଇ ଦୁଇଖଣ୍ଡ ହୋଇଯାଇଥିଲା।

ଆଜି ରେଳ ବିଭାଗ ପକ୍ଷରୁ ଆସିଥିବା ୩ଟି ଜଗ୍‌ରେ ତିନି ରଥକୁ ଟେକାଯାଇ ମରାମତି କରାଯାଇଛି। ମହାରଣାଙ୍କ ସହ ଭୋଇ, ଓଝା ସେବକମାନେ ଏହି ମରାମତି କାମ କରିଛନ୍ତି। ଫଟା ପଇରେ ରେଳ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ଲୁହାର ପଇ କ୍ଲାମ୍ପ ସଂଯୋଗ କରାଯାଇଛି। ପଇରେ ହୋଲ୍‌ କରି ଏକାଧିକ ନଟ୍‌ବୋଲ୍ଡ ଦେଇ ଲୁହାର ଏହି ପତଳା କ୍ଲାମ୍ପକୁ ଲଗାଯାଇଛି। ସେହିଭଳି ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ମା’ ସୁଭଦ୍ରାଙ୍କ ଦେବଦଳନ ରଥର ଅନ୍ୟ ଫାଟ ବି ମରାମତି କରାଯାଇଛି। ୟୁ-କ୍ଲାମ୍ପ, ଏଲ୍‌-କ୍ଲାମ୍ପ ଦେଇ ସଜଡ଼ା ଯାଇଛି। ତିନି ରଥ ଦକ୍ଷିଣମୋଡ଼ ନେବା ପରେ ପୁଣି ବୈଷୟିକ କମିଟି ରଥ ଯାଞ୍ଚ କରିବ। କମିଟି ତିନି ରଥ ଠିକ୍‌ ଥିବା ପ୍ରମାଣପତ୍ର ଦେବାପରେ ବଡ଼ଦାଣ୍ଡରେ ରଥ ଗଡ଼ିବ।

ସୂଚନାଯୋଗ୍ୟ, ଜୁଲାଇ ୯ ତରିଖରେ ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ଭାବେ ସଂଧ୍ୟା ଦର୍ଶନ, ଜୁଲାଇ ୯ ତାରିଖରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୧୦ ତାରିଖରେ ସୁନାବେଶ, ୧୧ ତାରିଖରେ ଅଧରପଣା ପରେ ୧୨ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।