ସଦର ତହସିଲ୍‌ଦାରଙ୍କୁ ହତ୍ୟା ଧମକ! ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ

ସମ୍ବଲପୁର: ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କ୍ଷେତରାଜପୁର ଥାନା ପୁଲିସ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଛି। ତହସିଲଦାରଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୨ ତାରିଖ ଦିନ କ୍ଷେତରାଜପୁର ଥାନା ଅଧୀନ ଦୁର୍ଗାପାଲି କୁସୁମପଡ଼ା ଠାରେ ପୁଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ଦିନ ୧୧ଟା ସମୟରେ ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ତାଙ୍କର କିଛି ସମର୍ଥକଙ୍କ ସହ ଉକ୍ତ ସ୍ଥାନରେ ପହଞ୍ଚି ବିରୋଧ କରିବା ସହ ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା

ଅଭିଯୋଗରେ ଉଲ୍ଲେଖ ରହିଛି। ତହସିଲଦାର ଲକ୍ଷ୍ମଣ ଅମାତଙ୍କ ଏତଲା ଆଧାରରେ କ୍ଷେତରାଜପୁର ଥାନା ପୁଲିସ କେସ୍‌ ନଂ ୪୨/୨୦୨୨ ରୁଜୁ କରିଛି। ଜୟ ନାରାୟଣଙ୍କ ବିରୋଧରେ ଆଇପିସି ଧାରା ୧୪୩, ୨୯୯, ୧୮୬, ୩୫୩, ୫୦୬ ଓ ୧୪୯ରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ପଚାରିବାରୁ ସେ କହି‌ଲେ, ଉଚ୍ଛେଦ ସଂକ୍ରାନ୍ତରେ ଲୋକଙ୍କଠାରୁ ଖବର ପାଇ ସେ ଘଟଣାସ୍ଥଳରେ ପହଂଚି ଥିଲେ। ସେଠାରେ ଥିବା ତହସିଲଦାରଙ୍କୁ ପାଖକୁ ଡାକିବାରୁ ବି ସେ ଆସିନଥିଲେ। ତାଙ୍କ ନାମରେ ଆଗରୁ ୭୦ଟି ମାମଲା ରୁଜୁ କରାଯାଇଛି। ଏହା ଏବେ ୭୧ଟି ହେଲା। ସବୁବେଳେ ବଢ଼ାଇ ଚଢ଼ାଇ ଅଭିଯୋଗ ଆଣିବା ଅଭ୍ୟାସ ହୋଇଗଲାଣି। କେହି ଜଣେ କହିଥିବେ, ସେଥିପାଇଁ ତହସିଲଦାର ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର