ଯଶିପୁର: ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ରେଞ୍ଜରେ କିଛି ଦିନ ତଳେ ସଂଗଠିତ ହାତୀପୋଡ଼ି ଘଟଣା କ୍ରମେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଅସ୍ଥାୟୀ ବନ କର୍ମଚାରୀ ତୁରାମ୍ ପୂର୍ତ୍ତୀ ବିଷପାନ କରିଥିବା ଘଟଣା ଲୋକଲୋଚନକୁ ଆସିଥିଲା। ଗତକାଲି ଏ ଘଟଣାରେ ମୃତକ ବକୁଆ ଗ୍ରାମର ବାସିନ୍ଦା ସ୍ଵର୍ଗତଃ  ତୁରାମଙ୍କ ସହଧର୍ମିଣୀ ଚେଲମା ପୁର୍ତ୍ତୀ ଆସି ଯଶିପୁର ଥାନାରେ ଲିଖିତ ଏତଲା ଦେଇଥିଲେ।

Advertisment

ଏତଲାକାରୀ ଶ୍ରୀମତୀ ପୁର୍ତ୍ତୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବିଭାଗୀୟ ଉଚ୍ଚ କର୍ମଚାରୀଙ୍କ ତାଡ଼ନା ଓ ଭୟର ଶିକାର ହୋଇ ମାନସିକ ନିର୍ଯାତନା ଭୋଗୁଥିବା ତୁରାମଙ୍କୁ ସମ୍ପୃକ୍ତ କର୍ମଚାରୀମାନେ ବିଷ ପିଆଇ ଦେବାରୁ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ତା ପରେ କରଞ୍ଜିଆ ଡାକ୍ତରଖାନାରେ ନେଇ ଭର୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ନେଇ ଭର୍ତି କରାଯାଇଥିଲା ବେଳେ ସେଠାରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

publive-image public.app

ଅଭିଯୋଗରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଜେନାବିଲ ରେଞ୍ଜର ଶିବଶଙ୍କର ସାମଲଙ୍କ ସମେତ ଅନ୍ୟ ଦୁଇ ବନ କର୍ମଚାରୀ ଦାୟୀ। ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଶ୍ରୀମତୀ ପୁର୍ତ୍ତୀ ଦାବି କରିଛନ୍ତି।  ଏତଲାକୁ ଭିତ୍ତି କରି ଥାନାରେ  କେସ ନଂ ୩୨୦/୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ ହୋଇ ଥିବା ଜଣାପଡିଛି। ଥାନାର ସବ ଇନ୍ସପେକ୍ଟର ହେମାମାଳିନୀ ସ୍ଵାଇଁ ତଦନ୍ତକାରୀ ଅଧିକାରୀ ଭାବେ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।