ଚିକିତ୍ସାରେ ଅବହେଳା! ଡାକ୍ତରଙ୍କ ସମେତ ୪ କର୍ମଚାରୀଙ୍କ ନାଁରେ ଥାନାରେ ଏତଲା

ରାୟଗଡ଼ା: ଚିକିତ୍ସାରେ ଅବହେଳା ଅଭିଯୋଗରେ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସମେତ ୪ କର୍ମଚାରୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ରୋଗୀ ସଂପର୍କୀୟ। ରାତିରେ ଜରୁରି ଚିକିତ୍ସା ନିମନ୍ତେ ଯାଇଥିବା ବ୍ୟକ୍ତି ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଡାକ୍ତରଖାନାର କୌଣସି କର୍ମଚାରୀ ନ ଆସିବାରୁ ବେସରକାରୀ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇଥିଲେ। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ରୋଗୀ ସଂପର୍କୀୟ ଶେଷଖାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

ନୂଆଗାଁ ଜେମାଦେଇପେଣ୍ଠ ଗାଁର ଦୁର୍ଜନ ଗାଣ୍ଟାଙ୍କ ୧୭ ବର୍ଷର ଝିଅ ରାଜେଶ୍ବରୀ ଗାଣ୍ଟା ବୁଧବାର ରାତିରେ ଅସୁସ୍ଥତା ଅନୁଭବ କରିବା ପରେ ଦୁର୍ଜନ ଝିଅକୁ ନେଇ ଚିକିତ୍ସା ପାଇଁ ଜେମାଦେଇପେଣ୍ଠ ମେଡ଼ିକାଲକୁ ଯାଇଥିଲେ। ରାତି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଦୁର୍ଜନ ମେଡ଼ିକାଲରେ ଅପେକ୍ଷା କରିବା ପରେ ମଧ୍ୟ ଡାକ୍ତର କିମ୍ବା କୌଣସି କର୍ମଚାରୀ ନ ଆସିବାରୁ ଦୁର୍ଜନ ବାଧ୍ୟ ହୋଇ ବେସରକାରୀ ମେଡ଼ିକାଲକୁ ଝିଅକୁ ନେଇ ଚିକିତ୍ସା କରିଥିଲେ। ଏହା ପୂର୍ବରୁ ଦୁର୍ଜନଙ୍କ ବଡ଼ ଝିଅ ସୁଜାତା ଗାଣ୍ଟା ଚିକିତ୍ସା ଅବହେଳାର ଶିକାର ହୋଇ ଜୁଲାଇ ମାସରେ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ରୋଗୀ ସଂପର୍କୀୟ ଓ ସ୍ଥାନୀୟ ଲୋକ ଜେମାଦେଇପେଣ୍ଠ ମେଡ଼ିକାଲ୍ ଘେରାଉ କରିବା ସହ ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବି ତୁରନ୍ତ ପୂରଣ କରିବାକୁ ଦାବି କରିଥିଲେ। ବଡ଼ ଝିଅକୁ ହରାଇଥିବା ଦୁଃଖକୁ ଦୁର୍ଜନ ଭୁଲି ପାରୁନଥିବା ବେଳେ ଗତକାଲି ରାତିରେ ସାନ ଝିଅର ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅବହେଳାର ଶିକାର ହୋଇଥିଲା।

ବୁଧବାର ରାତି ଡ୍ୟୁଟିରେ ଡା. ବିଦ୍ୟା ନାଏର, କର୍ମଚାରୀ ମଧୁ କଣ୍ଡାଗିରି, ସଂଯୁକ୍ତା କଣ୍ଡାଗିରି, ସ୍ବପ୍ନାରାଣୀ କୌରାଳ ଥିଲେ। କିନ୍ତୁ ୨ ଘଣ୍ଟା ଅପେକ୍ଷା କଲା ପରେ ମଧ୍ୟ କୌଣସି କର୍ମଚାରୀ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଆସିନଥିଲେ। ଆଜି ସକାଳେ ଦୁର୍ଜନ ଗାଣ୍ଟା ଏ ନେଇ ଡାକ୍ତରଙ୍କ ସମେତ ୪ କର୍ମଚାରୀଙ୍କ ନାଁରେ ଶେଷଖାଲ ଥାନାରେ ଲିଖିତ ଏତଲା ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା କରିଥିବା ସମସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ପ୍ରଦାନ ପାଇଁ ଦୁର୍ଜନ ଲିଖିତ ଏତଲାରେ ଉଲ୍ଲେଖ କରିଛନ୍ତି। ପୁଲିସ୍ ଏତଲାକୁ ଗ୍ରହଣ କରି ଘଟଣାର ତଦନ୍ତ କରୁଥିବା କହିଛି। ଆସନ୍ତାକାଲି ଦୁର୍ଜନ ଗାଣ୍ଟା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ପ୍ରଦାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର