ବେତନଟା ସଦର: ଗତ ସୋମବାର ବୈଶିଙ୍ଗା ଥାନା ଅଧୀନ କଳମା ଛକରେ ଜନୈକ ଔଷଧ ଦୋକାନୀଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ ଘଟଣାର ଗୋଟେ ଦିନ ପରେ ପୀଡିତ ବ୍ୟକ୍ତିଙ୍କ ସ୍ତ୍ରୀ ସ୍ମୃତିରେଖା ଜେନାଙ୍କ ଲିଖିତ ଅଭିଯୋଗ ପରେ ୭ଜଣଙ୍କ ନାମରେ ମାମଲା ରୁଜୁ କଲା ବୈଶିଙ୍ଗା ପୁଲିସ।
ସୂଚନା ଅନୁଯାଉ କଳମା ଗ୍ରାମର ମନୋରଞ୍ଜନ ଜେନାଙ୍କ ପୁଅ ସରୋଜର କଳମା ଛକ ଉପକଣ୍ଠ ଜାତୀୟ ରାଜପଥ ପାର୍ଶ୍ୱର ଢ଼ାବା ନିକଟରେ ଥିବା ନିଜ ଔଷଧ ଦୋକାନରେ ସୋମବାର ସନ୍ଧ୍ୟାରେ ବସିଥିବା ବେଳେ କିଛି ଦୁର୍ବୁତ୍ତ ମୁହଁରେ କପଡା ବାନ୍ଧି ହଟାତ ଦୋକାନ ଭିତରକୁ ପଶି ଆସି ଅତର୍କିତ ଭାବେ ଗୋଟେ ଭୁଜାଲିରେ ତାଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।
ସରୋଜ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଚିକିତ୍ସିତ ଥିବାବେଳେ ଗତକାଲି ସନ୍ଧ୍ୟାରେ ତାଙ୍କ ଧର୍ମପତ୍ନୀ ସ୍ମୃତିରେଖାଙ୍କ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଆଧାର କରି ବୈଶିଙ୍ଗା ଥାନା କେସ ନଂ ୨୭୬/୨୪ରେ ସ୍ଥାନୀୟ ଅଞ୍ଚଳର ୭ଜଣ ଯୁବକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ବୈଶିଙ୍ଗା ଥାନା ଏସଆଇ ଦେବାଶିଷ ମଣ୍ଡଳ ଘଟଣାର ତଦନ୍ତକୁ ତ୍ବରାନ୍ୱିତ କରିଛନ୍ତି।