ଦଳିତ ଦମ୍ପତିଙ୍କ ଘର ଭାଙ୍ଗିଦେଲେ, ୯ ଜଣଙ୍କ ନାମରେ ମାମଲା

ସୁନ୍ଦରଗଡ଼: ସରକାରୀ ଜମିକୁ ଜବରଦଖଲ କରିଛ କହି ଏକ ଭୂମିହୀନ ଦଳିତ ବୃଦ୍ଧ ଦମ୍ପତିଙ୍କ ୨ ବର୍ଷ ତଳେ ତିଆରି କରିଥିବା ଘରକୁ ଜେସିବି ଲଗାଇ ଗାଁର କିଛି ଲୋକ ଅତି ବର୍ବରୋଚିତ ଆଚରଣ ପୂର୍ବକ ଜୋରଜବରଦସ୍ତ ଭାଙ୍ଗି ଦେଇଛନ୍ତି। ବେଘର ଦମ୍ପତି ଏବେ ସେଠାରେ ଜରି ପାଲ ଟାଣି ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ଅଭାବନୀୟ ଘଟଣାଟି ଘଟିଛି ଭଷ୍ମା ଥାନା ମଙ୍ଗସପୁରରେ। ଏତଲା ପରେ ପୁଲିସ ମଙ୍ଗସପୁରର ୯ ଜଣଙ୍କ ନାମରେ ଭାରତୀୟ ଦଣ୍ଡବିଧି ଧାରା ୪୪୭, ୪୨୭, ୨୯୪, ୩୭୯, ୩୪ରେ ମାମଲା ରୁଜୁ କରିଛି।

ମଙ୍ଗସପୁରର ଭୂମିହୀନ ସୁରେନ୍ଦ୍ର ରୋହିଦାସ (୬୦) ଗାଁ ଆଡ଼କଟାରେ ୩୫ ବର୍ଷ ହେଲା ଚାଷ କରି ଆସୁଥିଲେ ଏବଂ ଦୁଇ ବର୍ଷ ତଳେ ବଡ଼ କଷ୍ଟରେ ସେଠାରେ ଛୋଟ ଘରଟେ ତିଆରି କରି ସ୍ବାମୀସ୍ତ୍ରୀ ରହୁଥିଲେ। କିନ୍ତୁ ଏହାକୁ ଗାଁର ବେଣୁମାଧବ ପୃଷେଟ, ଲୋକନାଥ କଉଡ଼ି, ମନୋରଞ୍ଜନ ପୃଷେଟ, ଅଲେଖ ମୁଣ୍ଡା, ଅରୁଣ ମୁଣ୍ଡା, ମରା ମୁଣ୍ଡା, ଧୁନ୍ଦା ମୁଣ୍ଡା, ପାଟ ମୁଣ୍ଡା, ସୁରେନ୍ଦ୍ର କୁସୁମ ପ୍ରମୁଖ ଏହାକୁ ବିରୋଧ କରି ଘର ଛାଡ଼ି ଚାଲିଯିବାକୁ ଧମକ ଦେଇ ଆସୁଥିବା ସୁରେନ୍ଦ୍ର ଅଭିଯୋଗ କରିଛନ୍ତି। ଘଟଣାକ୍ରମେ, ମାର୍ଚ୍ଚ ୧୬ ତାରିଖରେ ସେ କୌଣସି କାମରେ ଟାଙ୍ଗରପାଲି ତହସିଲ କାର୍ଯ୍ୟାଳୟକୁ ଯାଇ ଫେରିବା ପରେ କିଛି ଲୋକ ତାଙ୍କ ଘରକୁ ଜେସିବି ଲଗାଇ ଭାଙ୍ଗି ଦେବା ସହ ଘରେ ଥିବା ୨୦ ହଜାର ଟଙ୍କା, ସୋଲାର ପ୍ଲେଟ୍ ଓ ଅନ୍ୟ ସାମଗ୍ରୀ ନେଇ ଯାଇଥିବା ଦେଖିବାକୁ ପାଇଥିଲେ। ବହୁ କଷ୍ଟରେ ନିଜ ହାତରେ ତିଆରି କରିଥିବା ଘର ଧରାଶାୟୀ ହୋଇଥିବା ଦେଖି ମ୍ରିୟମାଣ ବୃଦ୍ଧ ଥାନାକୁ ଯାଇ ଏତଲା ଦେଇଥିଲେ। ପୂର୍ବରୁ ଧମକ ଦେଇ ଆସୁଥିବା ବ୍ୟକ୍ତିମାନେ ହିଁ ଘର ଭାଙ୍ଗିଥିବା ସେ ଏତଲାରେ ଉଲ୍ଲେଖ କରିଥିବା ବେଳେ ପୁଲିସ ସେ ୯ ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସରକାରୀ ଜମିକୁ ଜବରଦଖଲ କଲେ, ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ବ ବିଭାଗ ବା ତହସିଲଦାର ରହିଛନ୍ତି। ଭୂମିହୀନ ବୃଦ୍ଧଙ୍କ ସରକାରୀ ଜମିରେ ଘର ପ୍ରସଙ୍ଗରେ ଲୋକେ ତହସିଲଦାରଙ୍କୁ ଅଭିଯୋଗ କରିପାରିଥାନ୍ତେ। ତାହା ନକରି ଜୋର୍ କରି ଘର ଭଙ୍ଗିଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅସହାୟ ଦମ୍ପତିଙ୍କୁ ନ୍ୟାୟ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର