ପୁରୀ : ଅନ୍ଲାଇନ୍ ସପିଂ ସାଇଟ୍ ଆମାଜନ୍ ନାଁ’ରେ ସଂଘାତିକ ଅଭିଯୋଗ ଆସିଛି। ଆମାଜନ୍ ନିଜ ଅନ୍ଲାଇନ୍ ସପିଂ ସାଇଟ୍ରେ ନିର୍ମାଲ୍ୟ ପ୍ରସାଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ ଆଜି ଜନୈକ ସେବାୟତ ସିଂହଦ୍ବାର ଥାନାରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଆମାଜନ୍ ନିଜ ସପିଂ ସାଇଟ୍ରେ ନିର୍ମାଲ୍ୟ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଯେଉଁଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିର ନାଁ’ ସ୍ପଷ୍ଟ ଉଲ୍ଲେଖ ରହିଛି। ନିର୍ମାଲ୍ୟର ଦର ବି ଭିନ୍ନ ରହିଛି। ଆମାଜନ୍ ଏହାକୁ ୫ ଶହ ଟଙ୍କାରୁ ୭୦୦ ଟଙ୍କା ଦରରେ ବିକ୍ରି କରୁଛି। ଏହି ଘଟଣା ଜଣାପଡ଼ିବା ପରେ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଆଜି ସିଂହଦ୍ବାର ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିବା ସହ ଆମାଜନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।