ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଅନୁଭବ ଓ ଅନୁପ୍ରାସଙ୍କ ବିରୋଧରେ ଥାନାରେ ମାମଲା

ଅଭିଯୋଗ ମିଛ, ଭିତ୍ତିହୀନ: ଅନୁଭବ

କଟକ : ସା˚ସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଜଣେ ମହିଳା ସାମ୍ବାଦିକଙ୍କୁ ତାଙ୍କ ଘର ବାହାରେ ବିଳମ୍ବିତ ରାତିରେ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ନେଇ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଶ୍ରୀ ମହାନ୍ତିଙ୍କ ଭାଇ ଅନୁପ୍ରାସ କମେଣ୍ଟ ମାରିବା ଘଟଣାକୁ କେନ୍ଦ୍ର କରି ସାମ୍ବାଦିକା ଜଣକ ଅନୁଭବଙ୍କ ଘରକୁ ଯାଇଥିଲେ। ସେଠାରେ ଅନୁଭବ ଏଭଳି ଦୁର୍ବ୍ୟବହାର କରିଥିବା ଏତଲାରେ ଦର୍ଶାଯାଇଛି। ପୁଲିସ ଏତଲା ଆଧାରରେ ଦଫା ୨୯୪, ୩୨୩, ୩୫୪(ଏ), ୩୪ରେ ଏକ ମାମଲା(କେସ୍‌ ନ˚ ୧୧୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ସା˚ସଦ ଅନୁଭବ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି କହିଛନ୍ତି। ସମ୍ପୃକ୍ତ ମହିଳା ତାଙ୍କ ଘର ନିକଟକୁ ଆସି ଓଲଟି ଗାଳିଗୁଲଜ କରିଥିଲେ। ଏ ସ˚କ୍ରାନ୍ତରେ ସେ ପୁରୀଘାଟ ଥାନା ପୁଲିସକୁ ସେଦିନ ରାତିରେ ଫୋନ୍‌ କରି ଜଣାଇଥିଲେ। ପରେ ପିସିଆର‌୍‌ ଭ୍ୟାନ୍‌ ପହଞ୍ଚି ସମ୍ପୃକ୍ତ ମହିଳାଙ୍କୁ ଘଟଣାସ୍ଥଳରୁ ନେଇଯାଇଥିଲେ। ମହିଳାଙ୍କ କୌଣସି ଉଦ୍ଦେଶ୍ୟ ଥିଲେ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସା˚ସଦ ଶ୍ରୀ ମହାନ୍ତି କହିଛନ୍ତି।

ଅନ୍ୟପଟେ ଅଭିଯୋଗ ଆଣିଥିବା ଝାଞ୍ଜୀରମଙ୍ଗଳାର ମହିଳା ସାମ୍ବାଦିକଙ୍କ କହିବା ଅନୁଯାୟୀ ସେ ଗତ ୧୨ ତାରିଖରେ ଚୌଧୁରୀବଜାର ନନ୍ଦି ସାହି ରାସ୍ତାରେ ଯାଉଥିବା ବେଳେ ସା˚ସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ତାଙ୍କ ଘର ପାଖ ଫ୍ରେଣ୍ତସ୍‌ କ୍ଲବ୍‌ ପାଖରେ ତାଙ୍କୁ କମେଣ୍ଟ ମାରିଥିଲେ। ଏଭଳି ଘଟଣା ୨୦୧୭ ମସିହାଠାରୁ ଅଫିସ ଯିବା ସମୟରେ ସମ୍ପୃକ୍ତ ମହିଳାଙ୍କ ସହିତ ଘଟି ଆସୁଥିଲା। ଏ ସମ୍ପର୍କରେ ସେ ତାଙ୍କ ସ୍ବାମୀଙ୍କୁ କହିବାରୁ ସେହି ରାସ୍ତାରେ ନଯିବାକୁ ସ୍ବାମୀ ତାଙ୍କୁ ବାରଣ କରିଥିଲେ। ସେହି ରାସ୍ତାରେ ଯାଉଥିବାରୁ ସ୍ବାମୀ ବି ତାଙ୍କୁ ଗାଳି ଗୁଲଜ କରିଥିଲେ। ଘରେ ଏଭଳି ଘଟଣା ଘଟିବା ପରେ ମହିଳା ସାମ୍ବାଦିକ ସେଦିନ ରାତି ପ୍ରାୟ ୧୨ଟା ବେଳେ ଅନୁପ୍ରାସଙ୍କ ଘରକୁ ଯାଇଥିଲେ। ଅନୁଭବଙ୍କୁ ଏ ସମ୍ପର୍କରେ କହିବାରୁ ସେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଏବ˚ ମାଡ଼ ମାରିଥିଲେ। ଏହି ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବେ ବୋଲି ସେ କହିଛନ୍ତି।

ଏ ସଂପର୍କରେ ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ କହିଛନ୍ତି ଯେ, ସା˚ସଦ ଅନୁଭବ ମହାନ୍ତି ଏବ˚ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ମହିଳା ସାମ୍ବାଦିକଙ୍କ ସ୍ବାମୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି। ଅନୁଭବ ଏବ˚ ଘଟଣା ସହିତ ଜଡ଼ିତ ଅନ୍ୟମାନଙ୍କୁ ମଧ୍ୟ ପଚରାଉଚରା କରାଯିବ। ତାଙ୍କ ଘର ବାହାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଜବତ କରାଯିବ। ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର