ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଥାନାରେ ଏତଲା : ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗ

ନିଜ ଆଡ଼ୁ ଜରିମାନା ଦେଲେ ଅପରାଜିତା

ଭୁବନେଶ୍ବର: କୋଭିଡ କଟକଣା ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ସାଂସଦଙ୍କ ନାମରେ ଏତଲା ଦିଆଯାଇଛି । ସାଂସଦଙ୍କ ନାମରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ସାଂସଦ ବାହାରୁ ଭୁବନେଶ୍ୱର ଆସିବା ପରେ କୋଭିଡ କଟକଣାକୁ ନମାନି କର୍ମୀଙ୍କ ସହ ମିଳାମିଶା କରଛନ୍ତି । ସାମାଜିକ ଦୂରତା ପାଳନ କରିନାହାନ୍ତି, ମାସ୍କ ନ ପିନ୍ଧି ଦଳୀୟ କର୍ମୀଙ୍କ ସହ ଜନ୍ମଦିନ ବି ପାଳନ କରିଛନ୍ତି । ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ମଧ୍ୟ ସେ ଛାଡିଛନ୍ତି ।

ଦିନକ ପୂର୍ବରୁ ଦଳୀୟ ସଂଗଠନ ସଜାଡିବାକୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା ଷଡଙ୍ଗୀ । ହେଲେ ସେଠାରେ ମଧ୍ୟ ସାମାଜିକ ଦୂରତାକୁ ମାନି ନ ଥିଲେ କି ମୁହଁରେ ମାସ୍କ ପିନ୍ଧି ନ ଥିବା ଏତଲାରେ ଦର୍ଶାଯାଇଛି । ସରକାର କରୋନା ମୁକାବିଲା ପାଇଁ ସଚେତନତା ଅଭିଯାନ କରୁଛନ୍ତି । ହେଲେ ଶାସକ ଦଳର ସାଂସଦଙ୍କ କରୋନା କଟକଣାକୁ ଉଲ୍ଲଂଘନ କରିବା ସମାଜରେ ଭୁଲ ବାର୍ତା ଯାଉଛି । ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଛନ୍ତି ଅଭିଯୋଗକାରୀ ଯୋଗେଶ ଚନ୍ଦ୍ର ଜେନା ଓ ମଲିକ ସମିମ୍ ଅଖତର । ସେପଟେ ସାମାଜିକ ଦୂରତାକୁ ପାଳନ କରି ନ ଥିବାରୁ ନିଜ ଆଡୁ ଜରିମାନା ଦେଇଛନ୍ତି ଭୁବନେଶ୍ୱର ସାଂସଦ । ସେ ୧୦୦ ଟଙ୍କା ଜରିମାନା ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର