ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ବେଆଇନ ଦର୍ଶାଇ ଏଏସଆଇ ଅଧୀକ୍ଷକଙ୍କ ନାଁରେ ଏତଲା ଦେଲା ଜଗନ୍ନାଥ ସେନା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାମକୁ ବେଆଇନ ଦର୍ଶାଇ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ( ଏଏସଆଇ)ର  ଭୁବନେଶ୍ବର ସର୍କଲର ଅଧୀକ୍ଷକଙ୍କ ନାଁରେ ଲିଙ୍ଗରାଜ ଥାନାରେ ଏତଲା ହୋଇଛି। କର୍ତ୍ତବ୍ୟରେ ତ୍ରୁଟି ଅଭିଯୋଗ କରି ଜଗନ୍ନାଥ ସେନା ପକ୍ଷରୁ ଏହି ଏତଲା ଦିଆଯାଇଛି। ଶ୍ରୀ ଜଗନ୍ନାଥ ସେନାର ସଂଯୋଜକ ତଥା ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ କୁହାଯାଇଛି ଯେ ଏଏସଆଇ ଭୁବନେଶ୍ବର ସର୍କଲର  ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ନିଜର କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଛନ୍ତି। ସେ ଆଇନ ପାଳନ କରିନାହାନ୍ତି।

ଅଭିଯୋଗରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ବେଆଇନ୍‌ ଭାବେ ଜାରି ରହିଥିବା ବେଳେ ନିୟମ ଅନୁଯାୟୀ ଏଏସ୍‌ଆଇ ଅଧୀକ୍ଷକ କାହିଁକି ରାଜ୍ୟ ସରକାରଙ୍କ ନାଁରେ ଏତଲା ଦେଇନାହାନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ । ଏଏସ୍‌ଆଇ ଓ ସରକାରଙ୍କ ମଧ୍ୟରେ କ’ଣ ଚୁକ୍ତି ହୋଇଛି, ତାହା ସର୍ବସାଧାରଣ ଜାଣିବା ଦରକାର। ଏଏସ୍‌ଆଇ ନୀରବଦ୍ରଷ୍ଟା ସାଜିଛି ଏବଂ ଆଇନ୍‌ ଅନୁସାରେ ପଦକ୍ଷେପ ନେଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଆଜି ପୁରୀରେ ଖନନ ସମୟରେ ମୂର୍ତି ମଧ୍ୟ ବାହାରିଛି । ଶ୍ରୀମନ୍ଦିର ସୁରକ୍ଷା ଆମର ପ୍ରାଥମିକତା । କ’ଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି । ଯେହେତୁ ଏଏସଆଇ ଭୁବନେଶ୍ବର ସର୍କଲର  ଅଧୀକ୍ଷକଙ୍କ କାର୍ଯ୍ୟଳୟ ଲିଙ୍ଗରାଜ ଥାନା ଅଧୀନରେ ଯାଉଛି ତେଣୁ ଆମେ ଏହି ଥାନାରେ ଏତଲା ଦେଲୁ । ଆମସାର ଆକ୍ଟ ୧୯୫୮,୩୦(ଗ) ଓ ଆଇପିସି ଧାରା ୧୬୬ ଅନୁଯାୟୀ ସେ ଦଣ୍ଡିତ ହେବା କଥା କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଯେହେତୁ ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନାହାନ୍ତି ତାଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ଜଗନ୍ନାଥ ସେନା।

ସମ୍ବନ୍ଧିତ ଖବର