ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର କମିସନର ଜେ. ସୋନାଲଙ୍କ ବିରୋଧରେ ବିଜେପିର ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର ଥାନାରେ ଏତଲା ଦେଇଛନ୍ତି। ଗତକାଲି ବିଏମ୍ସିର ପିଅନ ରବି କୁମାର ବେହେରା ବିଜେପି କର୍ମକର୍ତ୍ତାଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ଆଜି ବିଜେପି ପକ୍ଷରୁ ବିଏମ୍ସି କମିସନରଙ୍କ ବିରୋଧରେ ଏତଲା ଦିଆଯାଇଛି। ବିଏମ୍ସି କମିସନରଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପ୍ରକାଶ ଥାଉକି ଗତ ୭ ତାରିଖ ଦିନ ବ୍ରହ୍ମପୁର ସହରରେ ମଶା ପ୍ରାଦୁର୍ଭାବକୁ ନେଇ ବିଜେପି କର୍ମକର୍ତ୍ତାମାନେ ବିଏମ୍ସି କମିସନରଙ୍କୁ ଭେଟିଥିଲେ।
କମିସନର ୪ ଜଣଙ୍କୁ ଆଲୋଚନା ପାଇଁ କୁଆଡ଼େ ଡାକିଥିଲେ। ସଂଖ୍ୟାଧିକ କର୍ମକର୍ତ୍ତା ପ୍ରକୋଷ୍ଠ ଭିତରେ ପ୍ରବେଶ କରିବା ଯୋଗୁଁ କମିସନର କୁଆଡ଼େ ସେମାନଙ୍କୁ ପୁଲିସ ଡାକି ଗିରଫ କରାଇବାକୁ ଧମକ ଦେଇଥିଲେ। ଏହାକୁ ନେଇ ବିଜେପି କର୍ମକର୍ତ୍ତାମାନେ ଉତ୍ତ୍ୟକ୍ତ ହେବା ସହ କମିସନରଙ୍କ ପ୍ରକୋଷ୍ଠରୁ ବାହାରି ଧାରଣା ଦେଇଥିଲେ। ପରବର୍ତ୍ତୀ ସମୟରେ ମେୟର ସଂଘମିତ୍ରା ଦଳେଇ ଧରଣାସ୍ଥଳକୁ ଆସି ବୁଝାସୁଝା କରିବା ପରେ ବିଜେପି କର୍ମକର୍ତ୍ତାମାନେ ଧାରଣାରୁ ଉଠିଥିଲେ। ଏହି ଘଟଣା ସେହି ଦିନ ଟଳି ଯାଇଥିବା ବେଳେ ଗତକାଲି ବିଏମ୍ସି କର୍ମଚାରୀ ରବି କୁମାର ବେହେରା ବିଜେପି କର୍ମକର୍ତ୍ତାଙ୍କ ବିରୋଧରେ ଟାଉନ୍ ଥାନାରେ ଏତଲା ଦେଇଥିଲେ।
ଏତଲାକ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି। ରବିଙ୍କ ଅଭିଯୋଗ ହେଉଛି ୭ ତାରିଖ ଦିନ ପ୍ରାୟ ୧୧ଟା ୪୦ମିନଟ ସମୟରେ ବିଜେପି କର୍ମୀମାନେ ପତାକା ଧରି କମିସନରଙ୍କ ପ୍ରକୋଷ୍ଠ ସମ୍ମୁଖରେ ନାରାବାଜି କରୁଥିଲେ। କମିସନର ଆସିବା ମାତ୍ରକେ ବିଜେପି ନେତା କାହ୍ନୁଚରଣ ପତିଙ୍କ ସମେତ ଅନ୍ୟମାନେ ପ୍ରକୋଷ୍ଠ ମଧ୍ୟକୁ ପଶିବାକୁ ଉଦ୍ୟମ କରିଥିଲେ। ସେ ବିଜେପି କର୍ମୀଙ୍କୁ ଅଟକାଇବା ସହ କମିସନରଙ୍କୁ ଅବଗତ କରାଇଥିଲେ। କମିସନରଙ୍କ ନିର୍ଦ୍ଦେଶକ୍ରମେ ୩ରୁ ୪ ଜଣଙ୍କୁ ଆଲୋଚନା କରିବାକୁ ଡକାଇବାକୁ ଯିବା ବେଳେ ପ୍ରକୋଷ୍ଠ ବାହାରେ ଥିବା କର୍ମୀମାନେ ଠେଲାପେଲା କରିଥିବା ନେଇ ସେ ଅଭିଯୋଗ କରିଛନ୍ତି।
ଆଜି ବିଜେପିର ଉପସଭାପତି ଶ୍ରୀ ପାତ୍ର ବିଏମ୍ସି କମିସନରଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି, ସହରରେ ମଶା ପ୍ରାଦୁର୍ଭାବକୁ ନେଇ ଆଲୋଚନା ଓ ଦାବିପତ୍ର ପ୍ରଦାନ କରିବାକୁ ଯିବା ବେଳେ କମିସନର ଜେ. ସୋନାଲ୍ ରାଗିଯାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନିଜ ଆସନରୁ ଉଠି ଗେଟ୍ଆଉଟ୍ ବୋଲି କହିବା ସହ ସମସ୍ତଙ୍କୁ ଜେଲ୍ରେ ଭର୍ତ୍ତି କରିଦେବେ ବୋଲି କହିଥିଲେ। ଏଭଳିକି ଦଳ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ନେଇ ଶ୍ରୀ ପାତ୍ର ଏତଲାରେ ଉଲ୍ଲେଖ କରିଛନ୍ତି। ଏମାନଙ୍କୁ ପିଟିପିଟି ବାହାର କରିବାକୁ ତାଙ୍କ ନିକଟରେ ଥିବା ବୁଲୁ ମହାନ୍ତି, ଶିବ ସେଠୀ ଓ ରବୀନ୍ଦ୍ର ଚନ୍ଦ୍ର ବେହେରାଙ୍କୁ କହିଥିଲେ। ଉପସ୍ଥିତ ବିଏମ୍ସି କର୍ମଚାରୀମାନେ ଆମକୁ ଠେଲାପେଲା କରି ବାହାର କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ସମୟରେ ଦେବରାଜ ନାୟକ, ଅଶୋକ ନିମେଇ ପ୍ରତିବାଦ କରିବା ସହ ଆମ ସାହିରେ ମଶା ପ୍ରାଦୁର୍ଭାବ ଯୋଗୁଁ ଲୋକେ ଡେଙ୍ଗୁ, ମ୍ୟାଲେରିଆରେ ପୀଡିତ ହେଉଛନ୍ତି ବୋଲି କହିବାରୁ ସେମାନଙ୍କ ଜାତିକୁ ନେଇ ଆକ୍ଷେପ କରିଥିବା ନେଇ ଏତଲାରେ ଦର୍ଶାଇଛନ୍ତି। ଏଥିନେଇ ରାଜ୍ୟସ୍ତରୀୟ ପଦସ୍ଥ କର୍ମକର୍ତ୍ତାଙ୍କୁ ଅବଗତ କରାଇବା ପରେ ଆଜି ଏତଲା ଦେଇଥିବା ଶ୍ରୀ ପାତ୍ର ଉଲ୍ଲେଖ କରିଛନ୍ତି। ପୁଲିସ ଉଭୟ ଅଭିଯୋଗକୁ ନେଇ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ଟାଉନ୍ଥାନା ଅଧିକାରୀ ସୁରେଶ ତ୍ରିପାଠୀ କହିଛନ୍ତି।