ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଟିକେଟ କଳାବଜାର ହୋଇଥିବା ଅଭିଯୋଗରେ ଥାନାରେ ଏତଲା

ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ବିରୋଧରେ ଏତଲା ଦାୟର

ଭୁବନେଶ୍ୱର: ଚଳିତ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଟିକେଟ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ରୀଡା ଓ ଯୁବ ସେବା ସଚିବ ବିଶାଲ କୁମାର ଦେବଙ୍କ ବିରୋଧରେ ଏତଲା ହୋଇଛି। ମୁଖ୍ୟମନ୍ତ୍ରୀ ଏବଂ କ୍ରୀଡ଼ା ସଚିବଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। କିଛି ସୂଚନା ଅଧିକାର କର୍ମୀ ଏବଂ ସାମାଜିକ କର୍ମୀ ଏହି ଏତଲା ଦାୟର କରିଛନ୍ତି।

ହକି ବିଶ୍ୱକପର ୧୪ତମ ସଂସ୍କରଣର ଉଦ୍‌ଘାଟନୀ ସମାରୋହ ଚଳିତ ମାସ ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ଟିକେଟ କଳାବଜାର ହୋଇଥିଲା ବୋଲି ଏତଲାରେ ଅଭିଯୋଗ ହୋଇଛି। ଶହେ ଟଙ୍କିଆ ଟିକେଟ ୧ ହଜାର ଟଙ୍କାରେ, ୫ଶହ ଟଙ୍କିଆ ଟିକେଟ ୪୦୦୦ ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଉଦ୍‌ଘାଟନୀ ସମାରୋହ ପାଇଁ ଅନ୍‌ଲାଇନ୍‌ରେ ଟିକେଟ ମିଳିବା ନେଇ କୁହାଯାଇଥିଲେ ମଧ୍ୟ ଏହା ଉପଲବ୍ଧ ହୋଇ ପାରି ନଥିଲା। ଫଳରେ ହକିପ୍ରେମୀ ଏବଂ ଦର୍ଶକ ବାଧ୍ୟ ହୋଇ କାଉଣ୍ଟରରୁ ଟିକେଟ କିଣିଥିଲେ। ଟିକେଟ କଳାବଜାର ପାଇଁ ସଚିବ ଦଲାଲ ନିଯୁକ୍ତ କରାଇଥିଲେ। ସଚିବଙ୍କ ଇଙ୍ଗିତରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଏତଲାରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର