ଦଶପଲ୍ଲା : ୟୁନିଫର୍ମରେ ଥାଇ ମଧ୍ୟ ନିଶା ସେବନ କରି ଆଜି ଜଣେ ବନପାଳ ଉନ୍ମତ୍ତକାଣ୍ତ ଭିଆଇବା ଘଟଣା ଦଶପଲ୍ଲା ବ୍ଲକ୍ର ବାଣିଗୋଛା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ କିଛିଦିନ ତଳେ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହରିଲୁଟ କରିବା ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବନପାଳ ଜଗନ୍ନାଥ ବେହେରା ଏଥିରେ ଉତ୍ତେଜିତ ହୋଇ ବାଣିଗୋଛାସ୍ଥିତ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ସହଜ ଜନସେବା କେନ୍ଦ୍ର ସମ୍ମୁଖରେ ସୋମବାର ଏଭଳି ଉନ୍ମତ୍ତକାଣ୍ତ ଭିଆଇଥିଲେ। ଗାଳି ଖାଇଥିବା ବ୍ୟକ୍ତି ଜଣକ ଥାନାର ଦ୍ବାରସ୍ଥ ହୋଇ ବନପାଳଙ୍କ ନାଁ’ରେ ଏତଲା ଦେଇଥିଲେ। ପୁଲିସ ଏତଲାକୁ ଗ୍ରହଣ କରି ତାଙ୍କର ଆଲ୍କୋହଲ ଟେଷ୍ଟ ପାଇଁ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
ସୂଚନା ଅନୁସାରେ, ମନରେଗା ଯୋଜନାରେ ଶ୍ରମିକମାନଙ୍କୁ ନିୟୋଜିତ କରିବାକୁ କହି ସେମାନଙ୍କୁ ପ୍ରଲୋଭିତ କରି ଜବ୍କାର୍ଡ ନେଇ ଯାଇଥିଲେ। କିନ୍ତୁ କାମ ନ କରି ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିଥିଲା। କିଛି ଶ୍ରମିକ ବ୍ୟାଙ୍କରୁ ଟଙ୍କା ଉଠାଇ ବନପାଳଙ୍କୁ ଦେଇଥିବା ବେଳେ ଆଉ କିଛି ଶ୍ରମିକ ଟଙ୍କା ଖର୍ଚ୍ଚ କରି ଦେଇଥିଲେ। ଏହାକୁ ବନପାଳ ଜଗନ୍ନାଥ ବେହେରା ସହ୍ୟ କରି ପାରିନଥିଲେ। ଦୁଆରେ ପହଞ୍ଚି ଟଙ୍କା ଦେବାକୁ ଦାବି କରିବା ସହ ଧମକ ଦେଇଥିଲେ। ବନଖଣ୍ତ ଅଧିକାରୀ ଧନରାଜ୍ ଏଚ୍ଡିଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ଘଟଣାର ତଦନ୍ତ କରିବା ପରେ ବନପାଳ ଜଗନ୍ନାଥ ବେହେରା ଉତ୍ତେଜିତ ହୋଇ ପଡ଼ିଥିଲେ। ଏହାକୁ ନେଇ ଆଜି ବନପାଳ ଶ୍ରୀ ବେହେରା ଜଣେ ବ୍ୟକ୍ତି ସୁନୀଲ କୁମାର ପ୍ରଧାନଙ୍କୁ ଜନସେବା କେନ୍ଦ୍ରରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଶ୍ରୀ ପ୍ରଧାନ ଏହି ଘଟଣାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି।