ମହିଳା ପୁଲିସ ଏସ୍ଆଇଙ୍କ ଆତ୍ମହତ୍ୟା: ଆଇଆଇସି ରେବତୀ ଶବରଙ୍କ ନାଆଁରେ ଏତଲା ଦେଲେ ମୃତାଙ୍କ ମା

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଆଦର୍ଶ ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ମାମଲାରେ ଆଇଆଇସି ରେବତୀ ଶବରଙ୍କ ନାଁରେ ସ୍ୱାଗତିକାଙ୍କ ମା ଉଷାରାଣୀ ବେହେରା ଏତଲା ଦେଇଛନ୍ତି। ରାତି ପ୍ରାୟ ୧୨ଟା ବେଳେ ଜି ଉଦୟଗିରି ଏସଡିପିଓଙ୍କୁ ଉଷାରାଣୀ ଏହି ଏତଲା ଦେଇଥିବା ଜଣାଯାଇଛି।
ଏହି ଏତଲାରେ ଆଇଆଇସି ରେବତୀ ଶବର ତାଙ୍କ ଝିଅକୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଆଇଆଇସି ତାଙ୍କୁ ମାରି ଝୁଲାଇ ଦେଇଥିବାର ତାଙ୍କର ସନ୍ଦେହ ହେଉଥିବା କଥା ବି ଏତଲାରେ ଉଲ୍ଲେଖ କରିଛନ୍ତି ମା ଉଷାରାଣୀ। ଆଇଆଇସି ରେବତୀ ଶବର ସବୁବେଳେ ସ୍ୱାଗତିକାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ସ୍ୱାଗତିକା ଯେତେବେଳେ ବି ଘରକୁ ଫୋନ୍ କରୁଥିଲେ ସବୁବେଳେ ଆଇଆଇସିଙ୍କ ଅତ୍ୟାଚାର କଥା କହୁଥିଲେ। ଆଇଆଇସିଙ୍କ ନିର୍ଯାତନା ସହି ହେଉ ନଥିବାରୁ ସ୍ୱାଗତିକା ଚାକିରି ଛାଡ଼ି ଦେବେ ବୋଲି ମଧ୍ୟ କହୁଥିଲେ ବୋଲି ମା କହିଛନ୍ତି।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଆଦର୍ଶ ଥାନାରେ ପ୍ରଥମ ପୋଷ୍ଟିଂ ପାଇ ନୂଆକରି ଜଏନ୍ କରିଥିବା ମହିଳା ଏସ୍ଆଇ ସ୍ବାଗତିକା ବେହେରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ସ୍ୱାଗତିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଥାନାଧିକାରୀ ରେବତୀ ଶବର, ଏସ୍ଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ୍ କର୍ମଚାରୀ ପହଞ୍ଚି ମହିଳା ଏସ୍ଆଇଙ୍କ ଝୁଲନ୍ତା ଶବ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। କନ୍ଧମାଳ ଏସ୍.ପି. ଭିନୀତ୍ ଅଗ୍ରୱାଲ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।


ଖବର ପାଇବା ପରେ ମୃତା ପୁଲିସ ଏସ୍ଆଇ ସ୍ବାଗତିକାଙ୍କ ଭାଇ ମନୋରଞ୍ଜନ ବେହେରା ଓ ମାଆ ପହଞ୍ଚି ଗଣମାଧ୍ୟମ ଆଗରେ ଥାନା ଆଇଆଇସି ରେବତୀ ଶବରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଆଇଆଇସି ସ୍ବାଗତିକାଙ୍କୁ ଅତ୍ୟଧିକ କାମ ଚାପ ଦେବା ଓ ମାନସିକ ନିର୍ଯାତନା ଦେଇ ଆସୁଥିବା କାରଣରୁ ସ୍ବାଗତିକା ଆତ୍ମହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ମୃତା ପୁଲିସ ଏସ୍ଆଇ ସ୍ବାଗତିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ନିରାକାରପୁରରେ ହୋଇଥିବା ବେଳେ ସେ ତାଙ୍କ କ୍ବାର୍ଟର୍ସରେ ଏକୁଟିଆ ରହୁଥିଲେ। ଟ୍ରେନିଂ ପରେ ନୂଆ ପୋଷ୍ଟିଂ ପାଇ ଗତ ଦେଢ଼ ବର୍ଷ ହେବ ସେ ଘୁ.ଉଦୟଗିରି ଥାନାରେ ପୁଲିସ ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।
ମୁଖ୍ୟତଃ ଯାହାଙ୍କ ବିରୋଧରେ ପରିବାର ଲୋକେ ଆରୋପ ଲଗାଇଛନ୍ତି, ଥାନା ଆଇଆଇସି ରେବତୀ ଶବର ସମ୍ପୂର୍ଣ୍ଣ ନିରବ ଓ ଅଭିଯୋଗ ବିଷୟରେ ମୁହଁ ଖୋଲୁନାହାନ୍ତି। ଅନ୍ୟପଟେ ଏହି ଦୁଃଖଦ ଘଟଣା ସମ୍ପର୍କରେ କନ୍ଧମାଳ ଏସ୍.ପି କହିଛନ୍ତି ଯେ, ମହିଳା ଏସଆଇଙ୍କ ଆତ୍ମହତ୍ୟାର ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ କରାଯିବ। ତଦନ୍ତରେ ଯିଏ ଦୋଷୀ ମିଳିବେ ତାଙ୍କ ବିରୋଧରେ ନିହାତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର