ଚର୍ଚାରେ ପୁଣି ଅନୁଭବ ମହାନ୍ତି : ନିର୍ବାଚନ ବାବଦ ବକେୟା ୧୧ ଲକ୍ଷ ୪୫ ହଜାର ଟଙ୍କା ଦେଉ ନାହାନ୍ତି

ଥାନାରେ ଅଭିଯୋଗ, ଅନୁଭବ କହିଲେ ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି

କେନ୍ଦ୍ରାପଡ଼ା/ଭୁବନେଶ୍ବର : ପୁଣି ବିବାଦରେ ଫସିଛନ୍ତି ସାଂସଦ ଅନୁଭବ ମହାନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ବାକି ଟଙ୍କା ଦେବାରେ ଖିଲାପ କରିଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି। ଗରାପୁରସ୍ଥିତ ବଳଦେବଜିଉ ଆଡମିଡିଆର ପ୍ରୋପ୍ରାଇଟର୍ ସ୍ମୃତିରଂଜନ ସ୍ବାଇଁ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସାଂସଦଙ୍କ ପ୍ରଚାର ପାଇଁ ବ୍ୟାନର୍‌, ପୋଷ୍ଟର୍, ଷ୍ଟିକର୍‌, ହୋର୍ଡିଂ ଓ ଭ୍ୟାନ୍ ଡେକୋରେସନ୍ ତାଙ୍କ ସଂସ୍ଥା କରିଥିଲା। ଏ ବାବଦକୁ ମୋଟ୍‌ ୩୨ ଲକ୍ଷ ୫୬ ହଜାର୪୦୦ ଟଙ୍କା ବିଲ୍ ହୋଇଥିଲା। ସେଥିରୁ ୨୦ ଲକ୍ଷ ୫୫ ହଜାର ଟଙ୍କା ନଗଦ ଆକାରରେ ସେ ପାଇଛନ୍ତି। ଏହାବାଦ୍‌ ସାଂସଦଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌ରୁ ଦୁଇଟି କିସ୍ତିରେ ତାଙ୍କୁ ୫୫ ହଜାର ୯୬୧ ଟଙ୍କା ମିଳିଛି। ଏହାକୁ ମିଶାଇ ମୋଟ ୨୧ ଲକ୍ଷ ୧୦ ହଜାର ୯୬୧ ଟଙ୍କା ପାଇଥିବା ବେଳେ ଅବଶିଷ୍ଟ ୧୧ ଲକ୍ଷ ୪୫ ହଜାର ୪୩୯ ଟଙ୍କା ବକେୟା ରହିଛି। ଏହି ରାଶି ପାଇବା ପାଇଁ ଗଲା ବର୍ଷେ ହେବ ସାଂସଦଙ୍କ ପାଖକୁ ଦୌଡ଼ୁଥିଲେ ବି କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି ବୋଲି ଶ୍ରୀ ସ୍ବାଇଁ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ସଦର ଥାନାଧିକାରୀ ପ୍ରମୋଦ ମଲ୍ଲିକ କହିଛନ୍ତି ଯେ ଅଭିଯୋଗ ମିଳିଛି। କିନ୍ତୁ ଏହା ଏକ ଧର୍ତ୍ତବ୍ୟ ଅପରାଧ ହୋଇନଥିବାରୁ ମାମଲା ରୁଜୁ କରାଯାଇନାହିଁ।

ତେବେ ଦଳ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଅନୁଭବଙ୍କ ମତାମତ ଆସିଛି। ଏଥିରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ ତାଙ୍କ ବିରୋଧରେ ପୁଲିସରେ ଉଦ୍ଦେଶ୍ୟମୂଳକ ଭାବେ ଅଭିଯୋଗ ଦରଜ ହୋଇଛି। ୨୦୧୯ ନିର୍ବାଚନ ପ୍ରଚାରରେ ତାଙ୍କ ପାଇଁ ପୋଷ୍ଟର ଓ ପ୍ରଚାର କରିଥିବା ସଂସ୍ଥାକୁ ସେ ସମସ୍ତ ଅର୍ଥ ପ୍ରଦାନ କରିଛନ୍ତି ଏବଂ ଏ ସଂପର୍କିତ ସମସ୍ତ ଦସ୍ତାବିଜ୍ ସେ ନିର୍ବାଚନ କମିସନଙ୍କ ପାଖରେ ଦାଖଲ କରିସାରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ ଯେତେବେଳେ ସେ କେନ୍ଦ୍ରାପଡ଼ାର ବିକାଶ ନେଇ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି ସେତିକିବେଳେ ତାଙ୍କ ବିରୋଧରେ ସଂଗଠିତ ଉଦ୍ୟମ କରାଯାଇ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ପ୍ରକାର ଅଭିଯୋଗ ଅଣାଯାଉଛି। ସେ ଏଥିରେ ବିଚଳିତ ନୁହନ୍ତି। ରାଜ୍ୟବାସୀ ଓ ବିଶେଷକରି କେନ୍ଦ୍ରାପଡ଼ାର ଭାଇଭଉଣୀଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି। ଯେଉଁଥିପାଇଁ ସେ ସଂସଦୀୟ କ୍ଷେତ୍ରରୁ ବହୁ ଭୋଟ ବ୍ୟବଧାନରେ ଜିତିଛନ୍ତି। ଏଭଳି ଉଦ୍ଦେଶ୍ୟମୂଳକ ଅଭିଯୋଗକୁ କେନ୍ଦ୍ରାପଡ଼ାବାସୀ କେବେ ବି ବିଶ୍ବାସ କରିବେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର