ସାହାରପଡ଼ା ଧାନ କିଣା ଦୁର୍ନୀତି : ଲ୍ୟାମ୍ପସ୍‌ ଏମ୍‌ଡିଙ୍କ ବିରୋଧରେ ଏତଲା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସାହାରପଡ଼ାରେ ହୋଇଥିବା ଧାନ କିଣା ଦୁର୍ନୀତି ଏବେ ନୂଆ ମୋଡ଼ ନେଇଛି। ଚାଷୀଙ୍କର ମୋଟ ୭୦ ଲକ୍ଷ ୧୮ ହଜାର ଟଙ୍କା ଲ୍ୟାମ୍ପସ୍‌ କର୍ତ୍ତୃପକ୍ଷ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିରେ ସାହରପଡ଼ା ଲ୍ୟାମ୍ପସ୍‌ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ସାମିଲ ଥିବାନେଇ ଚାଷୀମାନେ ସନ୍ଦେହ କରିବା ସହ ତାଙ୍କ ବିରୋଧରେ ପାଟଣା ଥାନାରେ ଅଭିଯୋଗ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ସାହାରପଡ଼ା, ଉଦୟପୁର, ଟଭାସରୁଆ ଓ ମାଛଗଡ଼ ଲ୍ୟାମ୍ପସ୍‌ ଶାଖାରେ ୬୮ଜଣ ଚାଷୀ ମାର୍ଚ୍ଚ ୨୩ ତାରିଖରେ ଧାନ ବିକ୍ରି କରିଥିଲେ। ସରକାରୀ ବ୍ୟବସ୍ଥା ଅନୁସାରେ ଟୋକନ ପାଇବା ପରେ ଧାନ ବିକ୍ରି କରିବାର ଦୀର୍ଘ ସାଢ଼େ ଚାରି ମାସ ପରେ ମଧ୍ୟ ସେମାନେ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ଚାଷୀମାନେ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନସ୍ତରରେ ଅଭିଯୋଗ କରିଥିଲେ। ସାହାରପଡ଼ା ବ୍ଲକ୍‌ ମାଛଗଡ଼ ଲ୍ୟାମ୍ପସ୍‌ ଶାଖାରେ ୩ଜଣ ଚାଷୀ ୨୧୦ କୁଇଣ୍ଟାଲ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କ ପ୍ରାପ୍ୟ ହେଉଛି ୩ ଲକ୍ଷ ୮୧ ହଜାର ୧୫୦ ଟଙ୍କା। ସେହିପରି ସାହରପଡ଼ା ଲ୍ୟାମ୍ପସ୍‌ରେ ୮ଜଣ ଚାଷୀ ୪୮୦.୩୬ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ସେମାନଙ୍କ ପ୍ରାପ୍ୟ ହେଉଛି ୮ ଲକ୍ଷ ୭୧ ହଜାର ୮୫୩ ଟଙ୍କା। ଟଭାସରୁଆ ଲ୍ୟାମ୍ପସ୍‌ରେ ୧୭ଜଣ ଚାଷୀ ୧୦୧୨.୧୯ କୁଇଣ୍ଟାଲ ଧାନ ବିକ୍ରି କରିଥିବାବେଳେ ସେମାନଙ୍କର ପ୍ରାପ୍ୟ ୧୮ ଲକ୍ଷ ୫୩ ହଜାର ୪୯୫ ଟଙ୍କା ଓ ଉଦୟପୁରରେ ୪୦ଜଣ ଚାଷୀ ୨୧୫୫.୨ କୁଇଣ୍ଟାଲ ଧାନ ବିକ୍ର କରିଥିବା ବେଳେ ସେମାନଙ୍କ ପ୍ରାପ୍ୟ ହେଉଛି ୩୯ ଲକ୍ଷ ୧୧ ହଜାର ୬୮୮ ଟଙ୍କା। ମୋଟ ୬୮ଜଣ ଚାଷୀ ୩୮୬୬.୭୫ କୁଇଣ୍ଟାଲ ଧାନ ବିକ୍ରି କରିଥିବାବେଳେ ସେମାନଙ୍କ ପ୍ରାପ୍ୟ ହେଉଛି ୭୦ ଲକ୍ଷ ୧୮ ହଜାର ୧୫୧ ଟଙ୍କା।

ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ନ ମିଳିବାରୁ ସେମାନେ ଏକାଧିକବାର ସାହାରପଡ଼ା ଲ୍ୟାମ୍ପସ୍‌ କାର୍ଯ୍ୟାଳୟ ଘେରାଉ କରିବା ସହିତ ଜିଲ୍ଲାପାଳଙ୍କୁ ସା‌କ୍ଷାତ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ସେମାନଙ୍କ ଟଙ୍କା ହଡ଼ପ କରାଯାଇଥିବା ଆଶଙ୍କା କରି ପିପିଳିଆ ଗ୍ରାମର ବିଶ୍ବଜିତ ମହାନ୍ତ, ଖଡ଼ିବେଡ଼ା ଗ୍ରାମର କପିଳେଶ୍ବର ମହାନ୍ତ, ଖଜିରାପାଟ ଗ୍ରାମର ଧନେଶ୍ବର ମହାନ୍ତ, ଦିବାକର ମହାନ୍ତ ପ୍ରମୁଖ ପାଟଣା ଥାନାରେ ସାହାରପଡ଼ା ଲ୍ୟାମ୍ପସ୍‌ର ପରିଚାଳନା ନିର୍ଦ୍ଦେଶକ ଖଗେଶ୍ବର ମହାନ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର