ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାକୁ ନେଇ ଚାଲିଥିବା ଟଣାଓଟରା ସ୍ଥାନୀୟ ଏସଡିଜେଏମଙ୍କ କୋର୍ଟରେ ପହଞ୍ଚିବା ପରେ ଏବେ ପୁଲିସ ହାତକୁ ଆସିଛି। ଏସଡିଜେଏମ କୋର୍ଟଙ୍କ ନିର୍ଦେଶକ୍ରମେ ଏହି ଘଟଣାକୁ ନେଇ ପୁଲିସ କେଶ ରୁଜ୍ଜୁ କରିବାକୁ ବାଧ୍ୟ ହୋଇଛି। ଏସଡିଜେଏମଙ୍କ କୋର୍ଟରେ ଏହି ଘଟଣାର ୨୦/୨୦ କେଶ ନମ୍ବର ରୁଜୁ ହୋଇଥିବା ବେଳେ ମାଲକାନଗିରି ଥାନାରେ ୪୦୧/୨୦ କେଶ ନମ୍ବର ରୁଜୁ ହୋଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ମୃତ୍ୟୁର ଗତ ୧୦ ମାସ ପରେ ଯାଇ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଚାରି ଜଣଙ୍କ ନାମରେ କେଶ ରୁଜୁ କରିବାକୁ ମାଲାକନଗିରି ପୁଲିସ ବାଧ୍ୟ ହୋଇଛି। ଜିଲ୍ଲାପାଳ ମନିଷ ଅଗ୍ରୱାଲ, ଡିଇଓ ଭି.ବେଣୁ, ଷ୍ଟେନୋ ପ୍ରକାଶ ସ୍ବାଇଁ ଏବଂ ଅବସରପ୍ରାପ୍ତ ଓଆରଏସ ଭଗବାନ ପାଣିଗ୍ରାହୀଙ୍କ ନାମରେ ଆଇପିସି ଧାରା ୩୦୨,୫୦୬, ୨୦୧, ୨୦୪,୧୨୦(ବି) ଏବଂ ୩୪ ଆପିସିରେ କେଶ ରୁଜୁ ହୋଇ ଡିଏସପି ବଳଭଦ୍ର ଦୀପଙ୍କୁ ତଦନ୍ତ ଭାର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ରହସ୍ୟ ମାଲକାନଗିରି ପୁଲିସ ନିକଟରେ ପହଞ୍ଚିଥିଲେ ମଧ୍ୟ ପୁଲିସ୍ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ନଥିଲା ଏବଂ କେଶ ରୁଜୁ କରିନଥିଲା। ଯାହାଫଳରେ ଏହି ଘଟଣାକୁ ନେଇ ସାଧାରଣରେ ମଧ୍ୟ ତୀବ୍ର ଅସଂତୋଷ ପ୍ରକାଶ ପାଇଥିଲା। ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ପରିବାରକୁ ନ୍ୟାୟ ମିଳିପାରିଲା ନାହିଁ। ଇତି ମଧ୍ୟରେ ୧୦ ମାସ ବିତିଗଲା।ପୁଲିସ ତଦନ୍ତରେ ଫେଲ ମାରିବା ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ଯୋଗୁଁ ବାଧ୍ୟ ହୋଇ ପତ୍ନୀ ବନଜା ପଣ୍ଡା ଏସଡିଜେଏମଙ୍କ କୋର୍ଟରେ ଏତଲା ଦାୟର କରିଥିଲେ। ଏସଡିଜେଏମ କୋର୍ଟରେ କେଶ ନମ୍ବର ୨୦/୨୦ କେଶ ରୁଜୁ ହେଲା। ଏତଲା ଦେବା ପରେ ଚଳିତ ମାସ ୧୧ ତାରିଖ ଦିନ ଏହି କେଶର ଶୁଣାଣି ହେବାର ଥିଲା। କିନ୍ତୁ ପରେ ଏହାକୁ ମାଲକାନଗିରି ପୁଲିସ ନିକଟକୁ ପଠାଯାଇଥିଲା। କୋର୍ଟଙ୍କ ନିର୍ଦେଶରେ ଆଜି ମାଲାକନଗିରି ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ କେଶ ରୁଜୁ କରିଛି। ଏଥର ଏହି ଘଟଣାର ପର୍ଦାଫାସ ହେବ ବୋଲି ପରିବାର ଲୋକେ ଆଶା ପ୍ରକଟ କରିଛନ୍ତି।
/sambad/media/post_attachments/wp-content/uploads/2020/11/mKg-collector-PA-family-2.jpg)
ପ୍ରକାଶ ଥାଉକି ଗତ ଡିସେମ୍ବର ୨୭ ତାରିଖ ଦିନ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା।ତାଂକର ମୃତ୍ୟୁ ଦେହ ସ୍ଥାନୀୟ ସତୀଗୁଡା ଡ୍ୟାମରୁ ମିଳିଥିଲା। ତେବେ ତାଂକର ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ପୁଲିସ ଏନେଇ କୌଣସି ତଦଦ୍ତ କରିନଥିଲା। ଅନ୍ୟପଟେ ପରିବାର ଲୋକଙ୍କୁ ଧମକାଉଥିଲା। ଏତେ ବଡ ଘଟଣାକୁ ପୁଲିସ ହାଲକା ଭାବେ ନେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।ପୁଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ ନହେବା ଏବଂ ଜିଲ୍ଲାପାଳ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ନେଇ କଂଗ୍ରେସ ସେତେବେଳେ ଜିଲ୍ଲାକୁ ଠପ୍ କରିଦେଇଥିଲା। କେବଳ ଏତିକି ନୁହେଁ କଂଗ୍ରେସ ଜିଲ୍ଲାପାଳଙ୍କ ବିରୋଧରେ ଏତଲା ମଧ୍ୟ ଦାୟର କରିଥିଲା। ପୁଲିସ ଏସବୁ ଏତଲାକୁ ଫୁ କରି ଉଡାଇ ଦେଇଥିଲା। ଦୀର୍ଘ ୮ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିନପାରିବା ପରେ ପରିବାର ଲୋକେ ପୁଣି ମାଲକାନଗିରି ଥାନାରେ ଜିଲ୍ଲାପାଳ ମନିଷ ଅଗ୍ରଵାଲଙ୍କ ନାମରେ ଏତଲା ଦାୟର କରିଥିଲେ। ଏଥର ମଧ୍ୟ ପୁଲିସ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଏତଲାକୁ ରଖିଥିଲେ ମଧ୍ୟ ଏହାକୁ କେଶ କରିନଥିଲେ। ପୁଣି ଭିସରା ରିପୋର୍ଟ ପାଇଁ ପରିବାର ଲୋକେ ଥାନାକୁ ଏବଂ ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ ହୋଇଗଲେ ସିନା ତାଂକୁ ଭିସରା ରିପୋର୍ଟ ପ୍ରଦାନ କରାଗଲା ନାହିଁ। ଏହି ଘଟଣାକୁ ଦବାଇ ଦେବାକୁ ବହୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଦୀର୍ଘ ଦଶ ମାସ ବିତିଯାଇଥିଲେ ମଧ୍ୟ କୌଣସି ନ୍ୟାୟ ନପାଇବାରୁ ପରିବାର ଲୋକେ ବାଧ୍ୟ ହୋଇ ଚାରି ଜଣଙ୍କ ନାମରେ ଏତଲା ଦାୟର କରିଥିଲେ। ପ୍ରାୟ ଶହେ ପୃଷ୍ଠା ସମ୍ବଳିତ ଏତଲାରେ ଗତ ଦଶ ମାସର ସମସ୍ତ ବିବରଣୀ ପ୍ରମାଣ ସହ ରହିଥିବା ପରିବାର ଲୋକେ କହିଥିଲେ। ତେବେ ଗତ ମାସରେ ଏନଏଚଆରସିଙ୍କ ନିର୍ଦେଶକ୍ରମେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନେତୃତ୍ବରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। କୌଣସି ଟଂକା ହେରଫେରକୁ ନେଇ ତାଂକ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରାଯାଇଛି। ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣ ହିଁ ତାଂକ ସ୍ବାମୀଙ୍କୁ ହତ୍ୟା କରି ସତୀଗୁଡା ଡ୍ୟାମରେ ଫିଙ୍ଗି ଦେଇଥିବା ପତ୍ନୀ ବନଜା ପଣ୍ଡା ଏତଲାରେ ଦର୍ଶାଇଛନ୍ତି। ମାଲକାନଗିରି ପୁଲିସ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/malakanagiri-mla-15_thumb.jpg)