ବିଧାୟକ ମୋହନ ମାଝୀଙ୍କ ବିରୋଧରେ ଏତଲା, ଦୋକାନରୁ ଜିନିଷ ନେଇ ଟଙ୍କା ଦେଲେନି

ରାଜନୈତିକ ଷଡ଼୍‌ଯନ୍ତ୍ର: ବିଧାୟକ ମାଝୀ
ବିଜେପିରୁ ଇସ୍ତଫା ଦେଲେ ଅଭିଯୋଗକାରୀ

କେନ୍ଦୁଝର : ଦୋକାନରୁ ଜିନିଷ ନେଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି। ମୋହନଙ୍କ ବି‌ରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ନେତା ତଥା ବ୍ୟବସାୟୀ ସଂଜୀବ କୁମାର ସାହୁ। ମୋହନ ତାଙ୍କୁ ଠକିଥିବା ନେଇ ସେ କେନ୍ଦୁଝର ଟାଉନ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ଏତଲା ଦେବା ପରେ ସଂଜୀବ ଦଳରୁ ଇସ୍ତଫା‌ ଦେଇଛନ୍ତି। ତେବେ ଏହା ତାଙ୍କ ବିରୋଧରେ ଏକ ରାଜନୈତିକ ଷଡ଼୍‌ଯନ୍ତ୍ର ବୋଲି ମୋହନ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ୨୦୧୯ ଓ ୨୦୨୦ ମସିହାରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ନିଜ ଘର ଏବଂ କାର୍ଯ୍ୟାଳୟ ପାଇଁ ସଂଜୀବଙ୍କ ସୋରୁମ୍‌ରୁ ଆସବାବପତ୍ର ନେଇଥିଲେ। ଏହି ଆସବାବପତ୍ର ନେବାବେଳେ କୌଣସି ଅର୍ଥ ପଇଠ କରି ନଥିଲେ। ପରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଂଜୀବ ୪ଟି ପର୍ଯ୍ୟାୟରେ ବିଧାୟକଙ୍କ ଠାରୁ ୨ ଲକ୍ଷ ୧ ହଜାର ଟଙ୍କା ଗ୍ରହଣ କରିଥିଲେ। ବିଧାୟକ ଆହୁରି ୧ ଲକ୍ଷ ୫୫ ହଜାର ଟଙ୍କା ବାକି ରଖିଛନ୍ତି। ଏଥି ପାଇଁ ସଂଜୀବ ବିଧାୟକଙ୍କ ବିରୋଧରେ ଠକେଇ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଏ ସଂପର୍କରେ ସଂଜୀବ କହିଛନ୍ତି, ବାକି ଟଙ୍କା ନ ଦେବାରୁ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛି। ଥାନାରେ ଅଭିଯୋଗ କରିବା ପୂର୍ବରୁ ଏକାଧିକ ବିଜେପି ନେତା ତାଙ୍କୁ ଟଙ୍କା ଫେରାଇ ଦେବାକୁ କହିଥିଲେ। ସେମାନଙ୍କ କଥାରେ ବିଶ୍ବାସ ନ କରି ଥାନାରେ ଅଭିଯୋଗ କରିଥିବା ସଂଜୀବ କହିଛନ୍ତି। ଏ ନେଇ ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁଙ୍କୁ ପଚାରିବାରୁ, ଅଭିଯୋଗ ପାଇବା ପରେ ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି।

ଅନ୍ୟ ପକ୍ଷରେ ବିଧାୟକ ଶ୍ରୀ ମାଝୀ କହିଛନ୍ତି, ମୁଁ କାହାକୁ ଠକି ନାହିଁ, ବରଂ ଠକେଇର ଶିକାର ହୋଇଛି। ଥାନାରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ରାଜନୈତିକ ଷଡ଼୍‌ଯନ୍ତ୍ର। ସେ ଆସବାବପତ୍ର ନେବାବେଳେ ୪୦ ପ୍ରତିଶତ ରିହାତି ପାଇଁ କଥା ଛିଡ଼ିଥିଲା। ସେହି ଅନୁସାରେ, ସେ ପର୍ଯ୍ୟାୟକ୍ରମେ ୨ ଲକ୍ଷ ୧ ହଜାର ଟଙ୍କା ଦେଇଥିଲେ। ଏତେ ପରିମାଣର ଜିନିଷ ନେବା ପରେ ସେ ଜିଏସ୍‌ଟି ବିଲ୍‌ ମାଗିବାରୁ ସଂଜୀବ ବିଲ୍‌ ଦେଲେ ନାହିଁ କି ହିସାବ ଦେଲେ ନାହିଁ। ସେ ତାଙ୍କୁ ଅଧିକ ଟଙ୍କା ଦେଇଛନ୍ତି। ଯଦି ତାଙ୍କର ଟଙ୍କା ପାଇବାରେ ଅଛି, ସେ ଜିଏସ୍‌ଟି ବିଲ୍‌ ସହ ହିସାବ ଦେଲେ କିଛି ଅସୁବିଧା ନାହିଁ। ଏହି ଅଭିଯୋଗ ପଛରେ ବିଜୁ ଜନତା ଦଳର ହାତ ଥିବା ମୋହନ ପାଲଟା ଅଭିଯୋଗ ଆଣିଛନ୍ତି।  କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀରେ ବିଜେଡି ସ୍ଥିତି ଭଲ ନାହିଁ। ‌ବିଜେଡି ପକ୍ଷରୁ ଆଗାମୀ ପୌର ନିର୍ବାଚନରେ ପ୍ରାର୍ଥୀ କରିବା ପାଇଁ ଡିଲ୍‌ କରାଯାଇ ତାଙ୍କୁ ବଦନାମ କରିବାପାଇଁ ଏପରି ଅଭିଯୋଗ କରାଯାଇଛି। ଯଦି ତାଙ୍କ ବିରୋଧରେ ବ୍ୟବସାୟକୁ ନେଇ ଅଭିଯୋଗ ଥିଲା, ତେବେ ସଂଜୀବ ବିଜେପିରୁ ଇସ୍ତଫା ଦେବାର କାରଣ କଣ ବୋଲି ମୋହନ ପ୍ରଶ୍ନ କରିଛନ୍ତି।

ବିଜେପିରୁ ଇସ୍ତଫା ଦେବା ସମ୍ପର୍କରେ ସଂଜୀବ କହିଛନ୍ତି, ପୂର୍ବରୁ ସେ ବିଜେପି କେନ୍ଦୁଝର ଜିଲ୍ଲା ମିଡିଆ ସେଲ୍‌ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ଏବେ ଦଳର କୌଣସି ପଦପଦବିରେ ନାହାନ୍ତି। ମୋହନଙ୍କ ଆଚରଣରେ ଅତିଷ୍ଠ ହୋଇ ସେ ଦଳରୁ ଇସ୍ତଫା ଦେଇଛନ୍ତି। ଜିଲ୍ଲା ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିବ‌ା ସେ କହିଛନ୍ତି।

ସମ୍ବନ୍ଧିତ ଖବର