ଜୟପୁର: ଗୋଟିଏ ସଭାମଂଚରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନସୂଚକ ଶବ୍ଦ କହିବା ଅଭିଯୋଗ କରି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ବିଜେପି ପକ୍ଷରୁ ଟାଉନଥାନାରେ ଏତଲା ଦିଆଯାଇଛି। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଉଦେଶ୍ୟରେ ଏକ ବେସରକାରୀ ଅନୁଷ୍ଠାନର ବୈଠକରେ ବିଧାୟକ ଦେଇଥିବା ମନ୍ତବ୍ୟକୁ ନେଇ ପୃଥକ ଭାବେ ଆଉ ଗୋଟିଏ ଏତଲା ଦେଇଛି ବିଜେପି।
ସୂଚନା ଅନୁଯାୟୀ, ଗତକାଲି ସ୍ଥାନୀୟ ରାଣୀଗଡ ନିକଟସ୍ଥ ତେଲିଙ୍ଗିରୀ ଠାରେ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ବୈଠକରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିଲେ। ସେଠାରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ସମୟରେ ଜୟପୁର ବିଧାୟକ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଂଜଳୀ ଅର୍ପଣ କରି ‘ଉଷ, ମାଉଁସ, ପାଉଁଷର ଲୋକ’ ବୋଲି କହି ଆମ ସମସ୍ତଙ୍କ ଅଧ୍ୟାତ୍ମିକ ଆସ୍ଥାକୁ କଠୋର ଆଘାତ ପହଚାଂଇଛନ୍ତି ବୋଲି ବିଜେପି ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ, ମଣ୍ଡଳ ସଭାପତି ରାଧେଶ୍ୟାମ ପରିଡ଼ା, ରାଧାକୃଷ୍ଣ ମିଶ୍ର ପ୍ରମୁଖଙ୍କ ଦସ୍ତଖତ ସମ୍ବଳିତ ଏତଲା ଦିଆଯାଇଛି। ଏହା ସହ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ମହିଳା କୁଳପତିଙ୍କ ଉଦେଶ୍ୟରେ ଏକ ବେସରକାରୀ ଅନୁଷ୍ଠାନର ବୈଠକରେ ବିଧାୟକ ଦେଇଥିବା ମତକୁ ନେଇ ଆଉ ଗୋଟିଏ ଏତଲା ବିଜେପି ପକ୍ଷରୁ ଦିଆଯାଇଛି। ଉଭୟ ଏତଲାକୁ ଗ୍ରହଣ କରି ପୁଲିସ ତୁରନ୍ତ ମାମଲା ରୁଜୁ କରି ଏଫଆଇଆର୍ ନକଲ ଦେବାକୁ ଦାବି କରି ଥାନା ସମ୍ମୁଖରେ ବିଜେପିର ନେତାମାନେ ଧାରଣା ଦେଇଥିଲେ। ୨ଟି ଏତଲାକୁ ପୁଲିସ ଗ୍ରହଣ କରିଥିବା ବେଳେ ପ୍ରାଥମିକ ତଦନ୍ତ ଚାଳିଛି ବୋଲି କହିଛନ୍ତି ଟାଉନଥାନା ଆଇଆଇସି ସମ୍ବିତ ବେହେରା। ପୁଲିସ ଯଦି ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ନ କଲେ ସେ ଆସନ୍ତାକାଲି ସକାଳ ଠାରୁ ଜୟପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣା ଦେବେ ବୋଲି ବିଜେପି ନେତା ଶ୍ରୀ ସାମନ୍ତରାୟ ଚେତାବନୀ ଦେଇଛନ୍ତି।
ବିଜେପିର ଏତଲା ଏବଂ ଧାରଣା ନେଇ ଚେତାବନୀ ପରେ ବିଧାୟକ ତାହା ବାହିନୀପତି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଆ ଜାତି, ପରମ୍ପରା, ସଂସ୍କୃତିର ଚିର ପୂଜ୍ୟ ଜଗତର ନାଥ ଜଗନ୍ନାଥ। ରାଜନୈତିକ ଉଦେଶ୍ୟ ରଖି ତାଙ୍କୁ ବଦନାମ କରିବାକୁ ହୀନ ଉଦ୍ୟମ ଓ ପ୍ରୟାସ କରିବା ଯୁକ୍ତିଯୁକ୍ତ ନୁହେଁ। ଶାବରଶ୍ରୀକ୍ଷେତ୍ର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଜଗତରନାଥଙ୍କ ସେବାରେ ତାଙ୍କ ଜୀବନ ସମର୍ପିତ। ସେ କେବେ ବି ସେହିଭଳି କହି ନାହାନ୍ତି ବୋଲି କହିଛନ୍ତି ବିଧାୟକ। ମହିଳାମାନଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। କୌଣସି ମହିଳାଙ୍କୁ ସେ କେବେ ବି ଆକ୍ଷେପ କରି ନାହାନ୍ତି। ଜୟପୁର ସହରର କୋରାପୁଟ ଜିଲ୍ଲାର ସାମଗ୍ରୀକ ବିକାଶ କଥା ଦଳମତ ନିର୍ବିଶେଷରେ ଚିନ୍ତା କରିବା ବଦଳରେ ଏଭଳି ତାଙ୍କ ବିରୋଧରେ ଅପପ୍ରଚାର ଠିକ୍ ନୁହେଁ ବୋଲି ବିଧାୟକ କହିଛନ୍ତି।