ଜୟପୁର : ସଭାମଞ୍ଚରେ ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କୋଟିକୋଟି ଓଡ଼ିଆଙ୍କ ଧର୍ମୀୟ ଭାବନାକୁ ବିଧାୟକ କୁଠାରଘାତ କରିଥିବା ଅଭିଯୋଗ କରି ଆଜି ଜୟପୁର ଟାଉନ ଥାନାରେ ବିଜେପି ପକ୍ଷରୁ ଏତଲା ଦିଆଯାଇଛି। ଯଦି ବିଧାୟକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ ନକରିବ, ଆଗାମୀଦିନରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ବିଜେପି ଚେତାବନୀ ଦେଇଛି।
ସୂଚନା ଅନୁସାରେ, ବିଧାୟକ ଶ୍ରୀ ବାହିନୀପତି ଗତକାଲି ଜୟପୁର ବ୍ଲକ୍ ରାଣୀଗଡ଼ ନିକଟସ୍ଥ ତେଲିଙ୍ଗିରିଠାରେ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରଦୀପ ପ୍ରଜ୍ଜ୍ବଳନ ସମୟରେ ପ୍ରଭୁ ଜଗନ୍ନାଥ ହେଉଛନ୍ତି ପ୍ରେମୀ ଲୋକ। ସେ ହେଉଛନ୍ତି ‘ଉଷ, ମାଉଁସ, ପାଉଁଶ’ର ଲୋକ ବୋଲି ତାଙ୍କ ମୁହଁରୁ ବାହାରି ଯାଇଥିଲା। ଆଜି ଏହି କାର୍ଯ୍ୟକ୍ରମର ଭିଡିଓ ଭାଇରାଲ ହେବାପରେ ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛି ବିଜେପି। ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ, ମଣ୍ଡଳ ସଭାପତି ରାଧାଶ୍ୟାମ ପରିଡ଼ା, ରାଧାକୃଷ୍ଣ ମିଶ୍ର ପ୍ରମୁଖ ଜୟପୁର ଟାଉନ ଥାନାରେ ଏତଲା ଦେଇଛନ୍ତି।
ମାମଲା ରୁଜୁ ଦାବିରେ ବିଜେପିର ଧାରଣା
ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ
ସେହିପରି, ଏକ ବେସରକାରୀ ଅନୁଷ୍ଠାନରେ ମଧ୍ୟ ବିଧାୟକ ଶ୍ରୀ ବାହିନୀପତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ମହିଳା କୁଳପତିଙ୍କ ଉଦ୍ଦେଶ୍ୟରେ ଅତି ହାଲ୍କା ମନ୍ତବ୍ୟ ଦେଇଥିବା ବିଜେପି ଅଭିଯୋଗ କରି ଦ୍ବିତୀୟ ଏତଲା ଆଜି ଟାଉନ ଥାନାରେ ଦେଇଛି। ଉଭୟ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ନକଲ ଦେବାକୁ ଦାବିକରି କିଛିସମୟ ଧରି ବିଜେପି ଧାରଣା ଦେଇଥିଲା। ଅନ୍ୟପକ୍ଷରେ, ଉଭୟ ଅଭିଯୋଗର ପ୍ରାଥମିକ ତଦନ୍ତ ଚାଲିଛି ବୋଲି ଟାଉନ ଥାନା ଆଇଆଇସି ସମ୍ବିତ ବେହେରା କହିଛନ୍ତି।
ଅନ୍ୟପକ୍ଷରେ, ବିଧାୟକ ଶ୍ରୀ ବାହିନୀପତି ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଆ ଜାତିର ପୂଜ୍ୟ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରିବାକୁ ହୀନ ଉଦ୍ୟମ କରିବା ଆଦୌ ଯୁକ୍ତିଯୁକ୍ତ ନୁହଁ। ଶାବର ଶ୍ରୀକ୍ଷେତ୍ର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଜଗନ୍ନାଥଙ୍କ ସେବାରେ ତାଙ୍କ ଜୀବନ ସମର୍ପିତ, ସେ କେବେ ବି ସେଭଳି କହିନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ସେହିପରି ମହିଳାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି, କୌଣସି ମହିଳାଙ୍କୁ କେବେ ମଧ୍ୟ ଆକ୍ଷେପ କରିନଥିବା ମଧ୍ୟ ମତ ଦେଇଛନ୍ତି।