ବୀରମିତ୍ରପୁର ଥାନାଧିକାରୀଙ୍କ ବିରୋଧରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏତଲା

କୁଆରମୁଣ୍ତା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିକାରୀ ମନୋଜା ମଂଜରୀ ନାଏକ ଏବଂ ହାବିଲଦାର ବୁଲୁ ପଟ୍ଟନାୟକଙ୍କ ବିରୋଧରେ ଶନିବାର କୁଆରମୁଣ୍ତା ଫାଣ୍ତି ଅଧିକାରୀଙ୍କ ଜରିଆରେ ଗଣମାଧ୍ୟମ ପ୍ରତିନିଧିମାନେ ଏକ ଲିଖିତ ଏତଲା ଦେଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ବୀରମିତ୍ରପୁର ଆଇଆଇସି ମନୋଜା ମଂଜରୀ ନାଏକ, ହାବିଲଦାର ବୁଲୁ ପଟ୍ଟନାୟକ ପ୍ରମୁଖ ବୀରମିତ୍ରପୁର ଅଂଚଳରେ ଥିବା ସ୍କ୍ରାପ, ମଦ ମାଫିଆ, ଢାବା, ଜୁଆ ଓ କୁକୁଡା ଲଢେଇ ସହ ସରକାରୀ ମଣ୍ତିରୁ ଧାନ, ଚାଉଳ ପରିବହନ କରୁଥିବା ଗାଡ଼ିରୁ ବେଆଇନ୍‌ ଭାବେ ଅର୍ଥ ଆଦାୟ କରୁଛନ୍ତି।

ଏ ନେଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିବା ସହ ଏକାଧିକବାର ଖବର ପ୍ରସାରଣ ମଧ୍ୟ କରିଛନ୍ତି। ମାତ୍ର ଏଥିରେ ଉତକ୍ଷିପ୍ତ ହୋଇ ଆଇଆଇସି ମନୋଜା ମଂଜରୀ ନାଏକ ଏବଂ ତାଙ୍କ ସହଯୋଗୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କାହିଁକି ଖବର ପ୍ରସାରଣ କରୁଛ ବୋଲି ଧମକ ଦେବା ସହ ତୁମମାନଙ୍କୁ ଠିକଣା ସମୟରେ ଦେଖି ନେବୁ ବୋଲି ଧମକ ଦେଇଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଗତ ଗୁରୁବାର କୁଆରମୁଣ୍ତା ଜମୁନାନାକିଠାରେ ଏକ ଘରୋଇ କମ୍ପାନିର ଜମି ଅଧିଗ୍ରହଣକୁ ବେଆଇନ୍ ଦର୍ଶାଇ କୁଆରମୁଣ୍ତା ନାଗରିକ କମିଟି ପକ୍ଷରୁ ରାଜପଥ ଅବରୋଧ ଚାଲିଥିବା ସମୟରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ ପାଇଁ ଉପସ୍ଥିତ ଥିଲେ। ମାତ୍ର ଆଇଆଇସି ନାଏକ ଖବରଦାତାମାନଙ୍କ ନାମରେ ଥାନାରେ ଆଇପିସିର ଦଫା ୨୮୩, ୩୪୧, ୧୪୯, ୧୪୩ରେ ଏକ ମାମଲା ରୁଜୁ କରିଛନ୍ତି।

ଖବରଦାତାମାନଙ୍କୁ ଡରାଇ ସତ୍ୟ ଓ ନିରପେକ୍ଷ ଖବର ପ୍ରସାରଣକୁ ଚାପି ଦେବା ପାଇଁ ବୀରମିତ୍ରପୁର ପୁଲିସ ଏଭଳି କେସ୍‌ ରୁଜୁ କରିଛି। ଉକ୍ତ ଅଭିଯୋଗର ଉପଯୁକ୍ତ ତଦନ୍ତ କରି ଉପରୋକ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କୁଆରମୁଣ୍ତା ପ୍ରେସ୍‌ କ୍ଲବ ପକ୍ଷରୁ ଦାବି କରାଯାଇଛି। ଘଟଣାର ଖୁବଶୀଘ୍ର ତଦନ୍ତ କରାନଗଲେ ଆସନ୍ତା ସୋମବାର ଦିନ କୁଆରମୁଣ୍ତା ପ୍ରେସ କ୍ଲବ ପକ୍ଷରୁ ଫାଣ୍ତି ନିକଟରେ ଅନଶନ କରାଯିବ ବୋଲି ସୂଚନା ଦିଆଯାଇଛି। ଏ ନେଇ ସୁନ୍ଦରଗଡ଼ ଜିଲା ଏସ୍‌ପି ପ୍ରତ୍ୟୁଷ ପ୍ରଭାକରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଲେ ଯେ, ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ନାମରେ ଏତଲା ଦେବା ଠିକ୍ ନୁହେଁ। ସେମାନଙ୍କ ନାମକୁ ଖୁବ୍‌ଶୀଘ୍ର ଏତଲାରୁ ବାଦ ଦିଆଯିବ ବୋଲି ଏସ୍‌ପି ଦିବାକର ଏହି ଅବସରରେ ପ୍ରତିଶ୍ରୃତି ଦେଇଛନ୍ତି।

ସମ୍ବନ୍ଧିତ ଖବର