ଠିକା କର୍ମଚାରୀ ଆତ୍ମହତ୍ୟା ପ୍ରସଙ୍ଗ: ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିିଙ୍କ ନାଁରେ ମାମଲା ରୁଜୁ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମଦାହ ଘଟଣାରେ ଆଜି କୁଳପତିଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ଦୀନବନ୍ଧୁଙ୍କ ପୁତ୍ର ଅଭିଷେକ ମିଶ୍ର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ନାଁରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, କୁଳପତିଙ୍କ ଦ୍ବାରା ଅପମାନିତ ହୋଇ ଆତ୍ମଦାହ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଆଜି କର୍ମଚାରୀମାନେ ଅନ୍ଦୋଳନକୁ ଓହ୍ଲାଇଥିଲେ।  ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ ଟେକ୍ନିକାଲ ଆସିଷ୍ଟାଣ୍ଟ ଦୀନବନ୍ଧୁ ମିଶ୍ର ଗତକାଲି କୁଳପତିଙ୍କ ଦ୍ବାରା ଅପମାନିତ ହେବା ପରେ ସେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ପ୍ରଥମ‌େ ଭିମ୍‌ସାର ଏବଂ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ବୁଧବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା।

ଅପରାହ୍‌ଣ ୧ଟା ୪୫ରେ ତାଙ୍କ ମରଶରୀର ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମୁଖରେ ପହଂଚିବା ପରେ କର୍ମଚାରୀ, ଅଧ୍ୟାପକଙ୍କ ସହିତ ବୁର୍ଲା ଓ ସମ୍ବଲପୁରର ବହୁ ଲୋକ ସେଠାରେ ପହଂଚି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଅପରପକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘର ସଭାପତି ପୂର୍ବତନ ବିଧାୟକ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ସଂପାଦକ ସତ୍ୟ ନାରାୟଣ କର, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ପ୍ରମୁଖଙ୍କ ନେତୃତ୍ବରେ ପ୍ରଶାସନିକ ଭବନ ସମ୍ମୁଖରେ ଶବ ରଖି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। କୁଳପତିଙ୍କୁ ଆଲୋଚନା ପାଇଁ ଡକାଯାଇଥିଲେ ହେଁ ସେ ଆସିଥିଲେ। କୁଳସଚିବ ସୀତାରାମ ପଟେଲ, ତହସିଲଦାର ଲକ୍ଷ୍ମଣ ଅମାତ ପ୍ରମୁଖ ଆସି ଆଲୋଚନା କରିଥିଲେ।

ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଗିରଫ, ଦୀନବନ୍ଧୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ, ତାଙ୍କ ପୁଅ ଚାକିରି ଏବଂ ଦୀନବନ୍ଧୁଙ୍କ ଭଳି ବହୁ ବର୍ଷ କମ୍‌ ଦରମାରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ହେଲେ ସେମାନେ ଏସବୁ ଦାବିପୂରଣରେ ନିଜର ଅସମର୍ଥତା ପ୍ରଦାନ କରିଥିଲେ। କୁଳପତିଙ୍କୁ ବାରଂବାର ଡକାଯାଇଥିଲେ ହେଁ ସେ ଆସିନଥିଲେ। ସମ୍ବଲପୁର ଏସ୍‌ପି ବି ଗଂଗାଧର, ସମ୍ବଲପୁର ମହାନଗର ନିଗମ କମିସନର ଅନିରୁ୍ଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରବିକାଶ ଆନ୍ଦୋଳନକାରୀଙ୍କ ପାଖକୁ  ଆଲୋଚନା ପାଇଁ ଯାଇଥିଲେ। ଭିଡିଓ କନ୍‌ଫର୍‌ରେନ୍ସ ଜରିଆରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କ ସହିତ ଆଲୋଚନା କରାଯାଇଥିଲା। ତୁରନ୍ତ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ ସହ ଶବଦାହ ପାଇଁ ୧୦ ହଜାର ଟଙ୍କା ଦେଇଥିଲେ। ଦୀନବନ୍ଧୁଙ୍କ ପୁଅଙ୍କୁ ଚାକିରି ପ୍ରଦାନ ଆଦି ପାଇଁ ପ୍ରତିଶ୍ରୁତି ଦେଇଥିଲେ।

 

ସମ୍ବନ୍ଧିତ ଖବର