ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟ୍ବିଟ୍‌ ଅଭିଯୋଗ : ବିଜେପି ପ୍ରବକ୍ତାଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ୱର : ସୋମବାର ଓଡ଼ିଶା ଯୁବ କଂଗ୍ରେସ କମିଟି ପକ୍ଷରୁ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ନିଜ ଟ୍ବିଟର ହ୍ୟାଣ୍ଡେଲରେ ଶ୍ରୀ ପାତ୍ର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଯୁବ କଂଗ୍ରେସ ଥାନାର ଦ୍ବାରସ୍ଥ ହୋଇଛି। ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ଅଭିଯୋଗ ଅନୁସାରେ ଶ୍ରୀ ପାତ୍ର ତାଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଯେ ଜବାହରଲାଲ ନେହେରୁ ହିଁ କଶ୍ମୀର ସମସ୍ୟାର ସୃଷ୍ଟି କର୍ତ୍ତା। ସେ ନଥିଲେ ଆଜି କଶ୍ମୀର ସମସ୍ୟା ନଥାନ୍ତା। ସେହିଭଳି ରାଜୀବ ଗାନ୍ଧୀ ୩୦୦ କୋଟି ଟଙ୍କା ବୋଫର୍ସ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ। ସେ ହିଁ ୩ ହଜାର ଶିଖ୍‌ ହତ୍ୟା ଘଟଣାର ମୁଖ୍ୟ କାର୍ପଟଦାର। ସମ୍ବିତଙ୍କର ଏହି ଅପ୍‌ଡେଟ୍‌ ସମ୍ପୁର୍ଣ୍ଣ ମିଥ୍ୟା ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି। ଏହି ଅଭିଯୋଗ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଦଣ୍ଡିତ ହୋଇ ନାହାନ୍ତି କିମ୍ବା ଏହା ପ୍ରମାଣିତ ହୋଇ ନଥିବାରୁ ଶ୍ରୀ ପାତ୍ରଙ୍କ ଏଭଳି ମନ୍ତବ୍ୟ ଘୋର ନିନ୍ଦନୀୟ ବୋଲି ଯୁବ କଂଗ୍ରେସ କହିଛି। ଗୋଟିଏ ପଟେ ସମଗ୍ର ଦେଶ କୋଭିଡ୍‌-୧୯ ଭଳି ମହାବିପତ୍ତିର ମୁକାବିଲା କରୁଥିବା ବେଳେ ଶାସକଦଳର ମୁଖପାତ୍ର ଏଭଳି ସାମ୍ପ୍ରଦାୟିକତା ବିଚାର ସୃଷ୍ଟି କରି ଅପରାଧ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ମହାରଥୀ ଓ ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର