ସମ୍ବିତ ପାତ୍ରଙ୍କ ନାମରେ ମାମଲା : ନିର୍ବାଚନ ପ୍ରଚାରରେ ଦେବାଦେବୀଙ୍କ ନାମ ନେଉଛନ୍ତି

ବିନା ଅନୁମତିରେ କରିଛନ୍ତି ଶୋଭାଯାତ୍ରା, ବିରୋଧ କଲା ବିଜେପି, ଆଣିଲା ପକ୍ଷପାତିତା ଅଭିଯୋଗ

ପୁରୀ : ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ରଙ୍କ ବିରୋଧରେ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ ହୋଇଛି। ଡାକ୍ତର ପାତ୍ର ନିର୍ବାଚନ ପ୍ରଚାରରେ ଦେବାଦେବୀଙ୍କ ସାହାରା ନେଉଥିବା ଦର୍ଶାଇ ପୁରୀ ସଦର ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀ ବିଜୟ ଜେନାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଏହି ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ବିଜେପି ଏହାକୁ ନିନ୍ଦା କରିବା ସହ ଫ୍ଲାଇଂ ସ୍କ୍ବାଡ୍‌ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ବିଜେପିର ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ର ନିଜ ପ୍ରଚାର ଗାଡ଼ିରେ ଶ୍ରୀଜଗନ୍ନାଥଙ୍କ ନାମକୁ ବ୍ୟବହାର କରିଛନ୍ତି। କେବଳ ସେତିକି ନୁହେଁ, ବିନା ଅନୁମତିରେ ସେ ଶୋଭାଯାତ୍ରା କରିଛନ୍ତି, ଯାହା ଏକ ଅପରାଧ। ତେବେ କେବେ ଓ କେଉଁଠି ସେ ଶୋଭାଯାତ୍ରା କରିଥିଲେ ତାର ତଥ୍ୟ ବା ତାରିଖ ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀ ଏତଲାରେ ଦେଇନାହାନ୍ତି। କେବଳ ପ୍ରଚାର ଗାଡ଼ିର ଫଟୋଟିଏ ଦେଇ ବିଜେପି ଅଫିସ୍‌ ଆଗରେ ଥିବା ସେହି ପ୍ରଚାର ଗାଡ଼ିରେ ଶ୍ରୀଜଗନ୍ନାଥଙ୍କ ନାମ ବ୍ୟବହାର କରାଯାଇଥିବା ଦର୍ଶାଇଛନ୍ତି। ଏହି ଏତଲାକୁ ପୁଲିସ ଗ୍ରହଣ କରି ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ କରିବ ବୋଲି କହିଛନ୍ତି ସମୁଦ୍ରକୂଳ ଥାନା ଅଧିକାରୀ। ଏ ସମ୍ପର୍କରେ ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀ ବିଜୟ ଜେନା କହିଛନ୍ତି, ଏତଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଥାନାକୁ ଯାଇଥିବ। ଏତଲାରେ କ’ଣ ଲେଖାଯାଇଛି ତାହା କୁହାଯାଇ ପାରିବ ନାହିଁ। ଏହା ଗୋପନୀୟ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ବିଜୟଙ୍କ ଭୂମିକାକୁ ନେଇ ବେଶ କିଛିଦିନ ହେଲା ଅଭିଯୋଗ ଜୋର୍‌ ଧରିଛି। ଫ୍ଲାଇଂ ସ୍କ୍ବାଡ୍‌ରେ ଥିଲେ ମଧ୍ୟ ବିଜେପି ବିରୋଧରେ ସେ ଆକ୍ରୋଶମୂଳକ ପଦକ୍ଷେପ ନେଉଥିବା ବିଜେପି ସମର୍ଥକମାନେ କହିଛନ୍ତି। ବିଜେପି ଯୁବନେତା ଶାଶ୍ବତ ମହାପାତ୍ର କହିଛନ୍ତି, ସମ୍ବିତଙ୍କୁ ବଦନାମ କରିବା ପାଇଁ ଏହା ଏକ ଚାଲ। ଅଫିସରମାନେ ଏଠାରେ ପକ୍ଷପାତିତା କରୁଛନ୍ତି। ଯାହାକୁ ନେଇ ଆମେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ। ସୂଚନାଯୋଗ୍ୟ, ସମ୍ବିତ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ଶୋଭଯାତ୍ରା କରୁଥିବା ଓ ଆଚରଣ ବିଧି ଲାଗୁ ହେବା ପରେ ବିନା ଅନୁମତିରେ ରାଲି କରିଥିବା ନେଇ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ସମ୍ବିତ୍‌ଙ୍କୁ ନୋଟିସ ଜାରି କରିଥିଲେ ଜିଲ୍ଲା ରିଟର୍ଣ୍ଣିଂ ଅଫିସର।

ସମ୍ବନ୍ଧିତ ଖବର