ଦେଓଗାଁ: ସ୍ୱାମୀ ଓ ସ୍ତ୍ରୀ ହୋଟେଲକୁ ଖାଇବାକୁ ଯାଇଥିବା ବେଳେ ଜଣେ ପୁରୁଷ ସରପଞ୍ଚ ଜଣେ ଅନୁସୂଚିତ ଜାତି ମହିଳା ସରପଞ୍ଚଙ୍କୁ ଅଶ୍ଳୀଳ ଇଙ୍ଗିତରେ ଅପବ୍ୟବହାର ଦେଖାଇ ସରପଞ୍ଚଙ୍କ ସ୍ୱାମୀଙ୍କୁ ଜାତି ଆକ୍ଷେପ କଲାପରେ ଗଣ୍ଡଗୋଳ କରି ଅପବ୍ୟବହାର ଦେଇଥିବା ନେଇ ସରପଞ୍ଚଙ୍କ ବିରୁଦ୍ଧରେ ମହିଳା ସରପଞ୍ଚ ଜଣକ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ମଙ୍ଗଳବାର ଦିନ ପ୍ରାୟ ଅଢେ଼ଇ ଟା ସମୟରେ ସ୍ୱାମୀ ସ୍ତ୍ରୀ ଦୁହେଁ ଦେଓଗାଁ ବହଲି ଛକ ନିକଟରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ଏହି ସମୟରେ ହୋଟେଲ ଭିତରକୁ ହାତୀସରା ସରପଞ୍ଚ କେଲୋ ଡାଙ୍ଗ ପହଞ୍ଚି ଖାଇବାକୁ ବସିଥିବା ସରପଞ୍ଚଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଅପବ୍ୟବହାର ଦେଇ ହତ୍ୟା ଧମକ ଦେଇଥିଲେ ବୋଲି ମହିଳା ସରପଞ୍ଚ ଜଣକ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି କେସ ନମ୍ବର -୧୩୩ରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।