ପଦ୍ମପୁର/ଭୁବନେଶ୍ବର: ବରଗଡ଼ ଜିଲ୍ଲା ପାଇକମାଳରେ ସିଟି ଜିଏସଟି ଚଢଉ କରୁଥିବା ବେଳେ ଶତାଧିକ ସମର୍ଥକଙ୍କ ସହ ପହଞ୍ଚି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ବାଧା ଦେଇଥିବା ଅଭିଯୋଗ ହୋଇଛି। ଚଢଉ ସମୟରେ ସେ ଜବତ ହୋଇଥିବା କାଗଜପତ୍ର ସିଟି ଜିଏସଟି ଅଧିକାରୀଙ୍କ ଠାରୁ ଛଡାଇ ନେବାକୁ ଉଦ୍ୟମ କରିଥିଲେ, ଯାହାର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ସିଟି ଜିଏସଟି ଅଧିକାରୀଙ୍କ ସହ ଯୁକ୍ତିତର୍କ କରି ଧମକାଇବା ଭଳି ଘଟଣା ସାମ୍ନାକୁ ଆସିଥିଲା, ଯାହାକୁ ନେଇ ସୁନ୍ଦରଗଡ ବିଧାୟିକାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି ।

Advertisment

ସେହିପରି ପଦ୍ମପୁରର ଏକ ଲୁଗା ଦୋକାନରେ ମଧ୍ୟ ଜିଏସଟି ଚଢାଉ ବେଳେ ବିଜେପି ନେତା ପହଞ୍ଚି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ନେଇ ଅଭିଯୋଗ ହୋଇଥିଲା। ଲୁଗା ଦୋକାନରେ ପହଞ୍ଚି ଜିଏସଟି ଅଧିକାରୀଙ୍କ କାର୍ଯ୍ୟରେ ବିଜେପି ନେତା ବାଧା ଦେଇଥିବା ଅଭିଯୋଗ ହୋଇଥିଲା, ଯାହାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଥିଲା। ବିଜେଡି କହିଥିଲା ଯେ, ପଦ୍ମପୁର ଉପନିର୍ବାଚନରେ ହିଂସା ମାହୋଲ ସୃଷ୍ଟି କରିବାକୁ ବିଜେପି ଉଦ୍ୟମ କରୁଥିଲା। ବିଜେପିର ୩ ନେତାଙ୍କୁ ପଦ୍ମପୁର ପ୍ରଚାର ମୈଦାନରୁ ବିଦା କରାଯାଉ ବୋଲି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦାବି କରିଥିଲେ।