ପୁରୀ: ଶ୍ରୀମନ୍ଦିର ଡ୍ରୋନ୍ ଭିଡିଓ ଭାଇରାଲ୍ ଘଟଣାରେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ନାଁରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି। ତଦନ୍ତ ରିପୋର୍ଟ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଏଥି ସହିତ  ୧୬୦ ସିଆରପିସି ଆଧାରରେ ଅନିମେଶଙ୍କୁ ଥାନାରେ ହାଜର ପାଇଁ ନୋଟିସ୍ ଜାରି କରିଛି।

Advertisment

କୋଲକାତାର ଅନିମେଶ ଚକ୍ରବର୍ତ୍ତୀ ନାମକ ଯୁବକ ୟୁନିଫାଏଡ୍‌ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ଗତ ନଭେମ୍ବର ୧୯ ତାରିଖରେ ଶ୍ରୀମନ୍ଦିର ଉପର ଓ ଭିତର ବେଢ଼ାର ସ୍ପଷ୍ଟ ଭିଡିଓ ଚିତ୍ର ଅପଲୋଡ୍‌ କରିଥିଲେ। ଏହି ଭିଡିଓ ଉପରେ ୟୁନିଫାଏଡ୍‌ ଅନିମେଶ ଓ ୟୁନିଫାଏଡ୍‌ ମୁଭିର ୱାଟର ମାର୍କ ରହିଥିଲା। ଏହି ଭିଡିଓରେ ନୀଳଚକ୍ର ବାନା ବାନ୍ଧିବା ସହ ଅଁଳାବେଢ଼ାର ଉପର ଚିତ୍ର ଦେଖିବାକୁ ମିଳିଛି। ଏହି ଭିଡିଓ ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ଉପରୁ ଏତେ ନିକଟରୁ ଉତ୍ତୋଳନ କରାଯାଇଛି ଯେ ଶ୍ରୀମନ୍ଦିର ଅଁଳା ବେଢ଼ା ଉପର ଓ ଶ୍ରୀମନ୍ଦିର ଭିତର ବେଢ଼ାର ଚିତ୍ର ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଛି। ବଡ଼କଥା ହେଉଛି, ଶ୍ରୀମନ୍ଦିର ଉପର ଓ ଏହାର ଚାରିପାଖ ନୋ ପ୍ଲାଇଂ ଜୋନ୍‌। କୌଣସି ହେଲିକପ୍ଟର କି ଡ୍ରୋନ୍‌ ଏହା ଉପରେ ଉଡ଼ିପାରିବନାହିଁ। ତଥାପି କିଏ ଓ କାହା ଅନୁମତିରେ ଏହି ଭିଡିଓ ଓ ଫଟୋ ଉତ୍ତୋଳନ କଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖୋଳତାଡ଼ ପରେ ଅନିମେଶ ୟୁନିଫାଏଡ୍ ମୁଭିଜ୍‌ ବ୍ୟାନରରେ କ୍ଷୁଦ୍ର ଚଳଚିତ୍ର ଓ ୱେବ ସିରିଜ୍‌ ତିଆରି କରୁଥିବା ଜଣାପଡ଼ିଛି।