ଭୁବନେଶ୍ବର ଜାଗମରାସ୍ଥିତ ଫିଟ୍‌ନେସ୍‌ ସେଣ୍ଟରରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଜାଗମରାସ୍ଥିତ ଏକ ଫିଟ୍‌ନେସ୍‌ ସେଣ୍ଟରରେ ରବିବାର ରାତି ପ୍ରାୟ ୧୦ଟାରେ ଅଗ୍ନିକାଣ୍ଡ ହୋଇଛି। ଖଣ୍ଡଗିରି-ଜାଗମରା ମୁଖ୍ୟ ରାସ୍ତାରେ ଥିବା ଏହି ଫିଟ୍‌ନେସ ସେଣ୍ଟରରେ ନିଆଁ ଲାଗିଯିବା ପରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା। ଖବରପାଇ ଦମକଳବାହିନୀ ସେଠାରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗି ପଡିଥିଲା। ସ୍ଥାନୀୟ ଲୋକମାନେ ସହଯୋଗରେ ପ୍ରାୟ ୪୫ ମିିନିଟ କାଳ ପରିଶ୍ରମ କରି ନିଆଁକୁ ଆୟତ୍ତ କରାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହିଁ।

ସୂଚନା ଅନୁସାରେ ଜାଗମରାସ୍ଥିତ ମୁଖ୍ୟ ରାସ୍ତାରେ ଏକ ୨ ମହଲା କୋଠାରେ ଚାଲିଛି ଫିଟନେସ ସେଣ୍ଟର। ରାତି ପ୍ରାୟ ୧୦ଟାରେ କୌଣସି କାରଣରୁ ନିଆଁ ଲାଗିଥିଲା। ଫିଟ୍‌ନେସ ସେଣ୍ଟରରେ ନିଆଁ ଯେଉଁ ସମୟରେ ଲାଗିଲା ସେଠାରେ ଜିମ୍‌ମାଲିକ ବିଜନ ବାରିକଙ୍କ ସହ ଆଉ କିଛି କର୍ମଚାରୀ ଜିମ୍‌ ଭିତରେ ଫସି ରହିଥିଲେ। ତେବେ ନିଆଁର ସ୍ଥିତି ଭୟଙ୍କର ଥିବାରୁ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ତେବେ ଅଗ୍ନିକାଣ୍ଡ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଥିଲା।

ଆଖପାଖ ଦୋକାନକୁ ନିଆଁ ନ ଧରିବା ପାଇଁ ଅଗ୍ନିଶମ ବାହିନୀ ପଦକ୍ଷେପ ନେଇଥିଲା। ଅଗ୍ନିଶମ ବାହିନୀ ୨ଟି ଗାଡ଼ି ସାହାଯ୍ୟରେ ନିଆଁକୁ ଆୟତ୍ତ କରିଛି। ତେବେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଥିବା ଦମକଳବାହିନୀ ଆକଳନ କରିଛି। ନିଆଁକୁ ଆୟତ୍ତ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥିବା ଦମକଳ ବାହିନୀ ସୂଚନା ଦେଇଛି। ଉକ୍ତ ଅଞ୍ଚଳରେ ଅନେକ ଦୋକାନ ରହିଛି। ତେଣୁ ଦୋକାନଗୁଡିକର କୌଣସି କ୍ଷତି ହୋଇଛି କି ନାହିଁ ତାହାର ବର୍ତ୍ତମାନ ତଦନ୍ତ କରାଯାଉଛି। ପ୍ରାଥମିକ ଭାବେ ଜିମ୍‌ ମାଲିକ ଶ୍ରୀ ବାରିକ ସୁସ୍ଥ ଥିବା ଅଗ୍ନିଶମ ବାହିନୀ କହିଛି। ତେବେ ଆଉ କେଉଁଠି ନିଆଁ ରହିଯାଇଛି କି ତାହାକୁ ତଦାରଖ କରାଯାଉଛି। ଆଜି ଜିମ ବନ୍ଦ ଥିବାବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ ବାହିନୀ ପକ୍ଷରୁ ଅନୁମାନ କରାଯାଉଛି। ତଥାପି ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର