ବ୍ରହ୍ମପୁର/ପୋଲସରା: ଗାଁକୁ ରାସ୍ତା ନଥିବାରୁ ରୋଗୀଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦୋଳାରେ ବୋହି ଗ୍ରାମବାସୀ ଆଣୁଛନ୍ତି। ପୋଲସରା ବ୍ଲକ୍ ସିଂହାସନୀ ପୀଠ ନିକଟସ୍ଥ ପାଣ୍ଡିରିପଡ଼ା ପଞ୍ଚାୟତର ତୋଷିଙ୍ଗ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଏକ ଭିଡ଼ିଓ ମଧ୍ୟ ଭାଇରାଲ୍ ହେବା ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମର ଜନସାଧାରଣ ଆଜି ବି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ବ୍ରହ୍ମପୁର ସହରର ଯୁବ ସାମାଜିକକର୍ମୀ ରବୀନ୍ଦ୍ର କୁମାର ମିଶ୍ର ଜାତୀୟ ମାନବ ଅଧିକାର କମିସନ୍ (ଏନ୍ଏଚ୍ଆର୍ସି)ରେ ପିଟିସନ୍ ରୁଜୁ କରିଛନ୍ତି। ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ତାଙ୍କର ପିଟିସନ୍ରେ ଉଲ୍ଲେଖ କରିଛନ୍ତି।
ତୋଷିଙ୍ଗ ଗ୍ରାମର ସୁବାସ ଶବର ନାମକ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ଆଣିବା ପାଇଁ ସମ୍ପର୍କୀୟ ନିଷ୍ପତ୍ତି ନେଇଥିଲେ। ତେବେ ଗାଁକୁ ରାସ୍ତାର ସୁବିଧା ନଥିବା ଯୋଗୁଁ କୌଣସି ଯାନବାହନ ଯାତାୟାତ ସମ୍ଭବପର ହେଉ ନାହିଁ। ଏଣୁ ବାଧ୍ୟ ହୋଇ ଗ୍ରାମବାସୀ ଦୋଳାରେ ଭାର କରି ତାଙ୍କୁ ଧନେଇ ଡ୍ୟାମ୍ ନିକଟକୁ ଆଣିଥିଲେ। ସେଠାରୁ ତାଙ୍କୁ ଅଟୋ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସା ପରେ ତାଙ୍କୁ ଧନେଇ ଡ୍ୟାମ୍ ପର୍ଯ୍ୟନ୍ତ ଗାଡ଼ିରେ ନିଆଯାଇଥିଲା। ପୁଣିଥରେ ସେଠାରୁ ଗ୍ରାମବାସୀ ତାଙ୍କୁ ଦୋଳାରେ ଘରକୁ ନେଇଥିଲେ। ଯାହାର ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା। ସେହି ଭିଡ଼ିଓ ଦେଖି ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏଭଳି ଘଟଣା ମାନବ ଅଧିକାରକୁ ମଧ୍ୟ କ୍ଷୁର୍ଣ କରୁଛି। ଏଣୁ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ସମାଧାନର ପନ୍ଥା ବାହାର କରିବାକୁ ଶ୍ରୀ ମିଶ୍ର ଏନ୍ଏଚ୍ଆର୍ସିକୁ ଅନୁରୋଧ କରିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।