ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏଫ୍‌ଆଇଆର୍

ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଓ ଗିରଫ ଦାବିରେ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଆଜି କ୍ୟାପିଟାଲ ଥାନାରେ ଏଫ୍‌ଆଇଆର୍ ଦିଆଯାଇଛି। ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କ୍ୟାପିଟାଲ ଥାନାରେ ପହଞ୍ଚି ଏଫଆଇଆର୍ ଦେଇଛନ୍ତି। ଶ୍ରୀ ସିଂହ କହିଛନ୍ତି ଯେ ମମିତା ମେହେରଙ୍କ ନିକଟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଗୋବିନ୍ଦ ସାହୁଙ୍କର ସବୁପ୍ରକାର ଅପରାଧିକ କାର୍ଯ୍ୟ, ସରକାରୀ ଅର୍ଥ ଆତ୍ମସାତ୍ ଓ ଯୌନ କେଳେଙ୍କାରୀର ସମସ୍ତ ପ୍ରମାଣ ଓ ତଥ୍ୟ ଥିଲା। ସେ ଏହାର ବିରୋଧ କରିଆସୁଥିଲେ। ଭବିଷ୍ୟତରେ ସେ ଏହାକୁ ପ୍ରକାଶ କରିଦେବାର ସମ୍ଭାବନା ଆଶଙ୍କା ଥିଲା, ତେଣୁ ସୁଚିନ୍ତିତ ଭାବେ ତାଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ଗୋବିନ୍ଦ ସାହୁ ସହ ମିଶି ଷଡଯନ୍ତ୍ର କରିଥିଲେ। ତେଣୁ ଶ୍ରୀ ମିଶ୍ରଙ୍କୁ ଗିରଫ କରି କୋର୍ଟରେ ହାଜର କରାଯିବା ସହ ପୁଲିସ ହେପାଜତକୁ ଆଣି ଜେରା କରୁ ।

ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ଜିଲ୍ଲା ଉପ ସଭାପତି ଶିବ ବେହେରା, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନା, ରାମ ରଣସିଂହ, ଦାମୋଦର ବେହେରା, ସୁରେନ୍ଦ୍ର ପ୍ରଧାନ, ଅଞ୍ଜନ ନାଥ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର