ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡର ଜଣାଶୁଣା ନାୟିକା ପ୍ରକୃତି ମିଶ୍ର। ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ପାନୀୟର ବ୍ୟାବସାୟିକ ପ୍ରଚାର ଲାଗି ପ୍ରକୃତି ଉଠାଇ ଥିବା ଫଟୋକୁ ନେଇ ତାଙ୍କ ନାମରେ ଅତିରଞ୍ଜିତ ତଥା ଉଦ୍ଦେଶ୍ୟମୂଳକ ଖବର କିଛି ପୋର୍ଟାଲରେ ପ୍ରକାଶିତ ହୋଇଛି। ଏହି କାରଣରୁ ପ୍ରକୃତି ଏକ ୱେବ୍ ପୋର୍ଟାଲ ବିରୋଧରେ ରାଜଧାନୀର ମଞ୍ଚେଶ୍ବର ଥାନାରେ ଏତଲା ଦେଇଥିବା ଜଣାଯାଇଛି। ସୋସିଆଲ୍ ମିଡିଆରେ ଏହି ଖବର ଭାଇରାଲ ହେବା କାରଣରୁ ତାଙ୍କ ପରିବାରକୁ ଗଭୀର ମାନସିକ ଚାପର ଶିକାର ହେବାକୁ ପଡିଛି ଏବଂ ଏହା ତାଙ୍କର ସମ୍ମାନହାନି କରିଛି ବୋଲି ସେ ନିଜର ଏତଲାରେ ଦର୍ଶାଇଛନ୍ତି।
ଗତକାଲି ସନ୍ଧ୍ୟାରେ ସେ ଏହି ୱେବ୍ ପୋର୍ଟାଲ୍ ବିରୋଧରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ପ୍ରକୃତି ଦର୍ଶାଇଛନ୍ତି ଯେ ତାଙ୍କର ଏବଂ ତାଙ୍କ ପରିବାର ବିରୋଧରେ ଏହି ପ୍ରକାର ସୁଚିନ୍ତିତ ତଥା ଉଦ୍ଦେଶ୍ୟମୂଳକ ଅପମାନଜନକ ଖବର କ୍ୟାରିୟର ଉପରେ ପ୍ରତିକୂଳ ପ୍ରଭାବ ପକାଇବ। କିଛି ଅସାଧୁ ଲୋକଙ୍କ ଦ୍ୱାରା ଏପରି ଅପମାନଜନକ କାର୍ଯ୍ୟ ହେତୁ, ତାଙ୍କୁ ବହୁ ଫୋନ୍ କଲ ଗ୍ରହଣ କରିବାକୁ ପଡ଼ୁଛି | ଏହା ତାଙ୍କର ପିତାମାତାଙ୍କୁ ମଧ୍ୟ ଅତ୍ୟଧିକ ମାନସିକ ଚାପରେ ପକାଇ ଦେଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ, ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ପଗ୍ଲୁ’ରେ ପ୍ରକୃତି ମିଶ୍ରଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ତେବେ ନାୟିକା ରୂପେ ପ୍ରକୃତିଙ୍କୁ ବ୍ରେକ୍ ଦେଇଥିଲେ ସୋ’ ମ୍ୟାନ୍ ପ୍ରଶାନ୍ତ ନନ୍ଦ ତାଙ୍କ ଫିଲ୍ମ ‘ଥୁକୁଲ୍ ’(୨୦୧୨)ରେ। ଏହାପରେ ସେ ‘ପ୍ରେମିକା’, ‘ ଓମ୍ ସାଇ ରାମ୍ ’, ‘ ଏସିପି ସାଗରିକା ’ ,‘ଓମ୍ -ଆଇ ଆମ୍ ନଟ୍ ଏ ଗଡ୍ ’, ‘ହେଲୋ ଆରସୀ’ ଏବଂ ‘ ମିଠା ମିଠା ’ ଆଦି ଓଡ଼ିଆ ଛବିରେ ଲିଡ୍ ରୋଲରେ ନଜର ଆସିଥିଲେ ।