କାଳିଆପାଣି: ସୁକିନ୍ଦାର ତତ୍କାଳୀନ ତହସିଲଦାର କାବେରୀ ମୁଦୁଲିଙ୍କ ନାଁରେ କାଳିଆପାଣି ଥାନାରେ ମାମଲା ରୁଜୁ ହୋଇଛି। ତାହା ପୁଣି କୋର୍ଟ ନିର୍ଦେଶରେ। ଉଦ୍ଦେଶ୍ୟମୂଳକ ଭାବେ ଜଣେ ଗାଡ଼ି ମାଲିକଙ୍କୁ ହଇରାଣ କରିବା ଅଭିଯୋଗରେ ନ୍ୟାୟାଳୟ ଏହି ନିର୍ଦେଶ ଦେଇଛନ୍ତି। ପୁଲିସ ସେହି ମାମଲା ରୁଜୁ କଲା, କିନ୍ତୁ ୨ ମାସ ୨୦ ଦିନ ଗଡ଼ାଇଦେଲା। ଅଭିଯୋଗକାରୀଙ୍କୁ ଅଯଥା ଖର୍ଚ୍ଚାନ୍ତ ସହ ବହୁ ହଇରାଣ ହେବାକୁ ପଡ଼ିଲା। ଶେଷରେ ନ୍ୟାୟ ପାଇଁ ତାଙ୍କୁ ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ପଡ଼ିଲା। କୋର୍ଟଙ୍କ ରାୟ ପରେ ପ୍ରଶାସନ ଓ ପୁଲିସର ଅହଙ୍କାର ଭାଙ୍ଗିଛି। ଏତଲାର ଗୁରୁତ୍ବ ଥିଲେ ବି ହାକିମଙ୍କ ପକ୍ଷ ନେଇ ଗତ ମାର୍ଚ୍ଚ ୧୧ ତାରିଖ ଦିନ ଏତଲାକାରୀଙ୍କୁ ଫେରାଇ ଦେଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଗତ ୧ ତାରିଖରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛନ୍ତି। କୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ତତ୍କାଳୀନ ତହସିଲଦାର କାବେରୀ ମୁଦୁଲିଙ୍କ ନାଁରେ ଆଇପିସି ଦଫା ୩୪୧, ୩୭୯, ୩୮୫ ଓ ୫୧୧ ଆଧାରରେ କାଳିଆପାଣି ଥାନାରେ ଏକ ଫୌଜଦାରି କେସ୍ ୬୦//୨୨ ରୁଜୁ ହୋଇଛି।
ଗତ ମାର୍ଚ୍ଚ ମାସ ୧୦ ତାରିଖରେ ଥାନାରୁ ମାତ୍ର ୨ କିଲୋମିଟର ଦୂର ଇମ୍ଫା କାଳିଆପାଣି ଖଣି ପାଖରେ ଉକ୍ତ ଘଟଣା ଘଟିଥିବା ନେଇ ପୁଲିସ ପାଖରୁ ମିଳିଥିବା ଏତଲା କପିରେ ଉଲ୍ଲେଖ ରହିଛି। ଏବେ ମୋ'ସ୍କୁଲ ଅଭିଯାନରେ ଓଏସ୍ଡି ଭାବେ ଅବସ୍ଥାପିତ ବେରୀ ମୁଦୁଲିଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
ଗତ ମାର୍ଚ୍ଚ ମାସ ୧୦ ତାରିଖ ସକାଳ ଇମ୍ଫା ଖଣିକୁ ଯାଉଥିବା ଉକ୍ତ କମ୍ପାନିର ୩ଟି ବାଲି ବୋଝେଇ ହାଇୱା (ଓଡି-୦୫ଓକ୍ୟୁ-୫୬୨୧, ଓଡି-୦୫ଓକ୍ୟୁ-୬୬୨୧ ଓ ଓଡି-୦୫ଏଏସ୍-୧୬୨୧)କୁ ତହସିଲଦାର ଅଟକାଇଥିଲେ। ଡ୍ରାଇଭରଙ୍କ ପାଖରୁ ୱାଇ ଫର୍ମ, ମୋବାଇଲ୍ ଫୋନ୍ ଓ ମନିପର୍ସ ଛଡ଼ାଇନେଇ ୩ଟିଯାକ ହାଇୱାକୁ ଥାନାକୁ ନେବା ପାଇଁ ତହସିଲଦାର ସେଦିନ ନିର୍ଦେଶ ଦେଇଥିଲେ। ଏନେଇ ସଂପୃକ୍ତ ୩ ଡ୍ରାଇଭର ମାୟାଧର ଦେହୁରୀ, ଟୁଲୁ ମୁଣ୍ଡା ଓ ମାନସ କୁମାର ମହାନ୍ତ ଅଭିଯୋଗ କରିଥିଲେ। ସେଦିନରୁ ୩ ଟିଯାକ ବାଲି ବୋଝେଇ ହାଇୱା ଥାନାରେ ଅଟକ ଥିବା ଦେଖିବାକୁ ମିଳିଛି। ଠିକାଦାର ତହସିଲଦାରଙ୍କୁ ଏକାଧିକବାର ଭେଟିଥିଲେ ମଧ୍ୟ ଏହାର ସମାଧାନ ହୋଇନଥିଲା। ତହସିଲଦାରଙ୍କ କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବେଆଇନ ଦର୍ଶାଇ ଠିକାଦାରଙ୍କ ପକ୍ଷରୁ କାଳିଆପାଣି ଥାନା ଅଧିକାରୀ, ଯାଜପୁର ଏସ୍ପି ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିଲା ବୋଲି ମିଶ୍ର ଇଞ୍ଜିନିୟର୍ସ ମାଲିକ ଅମିୟ ପ୍ରସାଦ ମିଶ୍ର ଅଭିଯୋଗ କରିଥିଲେ। ବାଧ୍ୟହୋଇ ସେ ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟରେ ଆବଦେନ କରିଥିଲେ। ସଂପୃକ୍ତ କାଗଜପତ୍ର ଓ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅଦାଲତ ଗତ ଏପ୍ରିଲ୍ ମାସ ୨୦ ତାରିଖରେ କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କୁ ସମନ ଜାରି କରିଥିଲେ। ତହସିଲଦାରଙ୍କ ନାଁରେ ଫୌଜଦାରି ମାମଲା ରୁଜୁ କରିବାକୁ ଅଦାଲତ ଗତ ୨୧ ତାରିଖରେ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।