ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅଧୀନ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡିଏଭି ଠାରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟର କାର୍ଯ୍ୟରତ ଏଏନଏମଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ସୁବୋଧ ନାୟକ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି। ଏଏନଏମ ଆଣିଥିବା ଗୁରୁତର ଅସୁସ୍ଥ ଛାତ୍ରଙ୍କୁ ଚିକିତ୍ସାରେ ଅବହେଳା କରିବା ନେଇ ସ୍ଵାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି କାର୍ଯ୍ୟରତ ଏଏନଏମ।
ଏଏନଏମଙ୍କ ଅଭିଯୋଗ ଅନୁସାରେ ମଙ୍ଗଳବାର କଳିଙ୍ଗା ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଙ୍କ ଶାରୀରିକ ଅସୁସ୍ଥତା କାରଣରୁ କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା କିନ୍ତୁ ଛାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅପରାହ୍ନ ପ୍ରାୟ ୩ ଘଣ୍ଟିକା ସମୟରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ କାର୍ଯ୍ୟରତ ଡାକ୍ତର ଗୁରୁତର ଅସୁସ୍ଥ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ନ କରି ପ୍ରଥମେ କେତୋଟି ରକ୍ତ ପରୀକ୍ଷା ପାଇଁ ଲେଖିଥିଲେ। ଅନ୍ୟପଟରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ରକ୍ତ ପରୀକ୍ଷା କେନ୍ଦ୍ର ବନ୍ଦ ଥିଲା କିନ୍ତୁ ଡାକ୍ତର ସମସ୍ତ ରକ୍ତ ପରୀକ୍ଷା ପ୍ରାଇଭେଟ କ୍ଲିନିକରେ କରିବା ପରେ ହିଁ ରୋଗୀର ଚିକିତ୍ସା କରିବେ ବୋଲି ଫେରେଇ ଦେଇଥିଲେ।
ଏହି ସମୟରେ ଅସୁସ୍ଥ ଛାତ୍ର ଚେତାଶୁନ୍ୟ ମଧ୍ୟ ହେବା ପରେ ଡାକ୍ତର ଏନଏସ ସାଲାଇନ୍ ଦେବାକୁ କହିଥିଲେ। କିନ୍ତୁ ବେଡ୍ରେ ଦାଖଲ କରିନଥିଲେ। ଯେଉଁ ରକ୍ତ ପରୀକ୍ଷା ଲେଖା ଯାଇଥିଲା ସେଗୁଡ଼ିକ ବାହାରେ କଲେ ପ୍ରାୟ ୮୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପାଖରେ ଏତେ ଟଙ୍କା ନଥିବା ଏବଂ ବାହାରେ ରକ୍ତ ପରୀକ୍ଷା କରିବା ସମ୍ଭବପର ନଥିବା ଯୋଗୁଁ ଅନୁରୋଧ କରି କହିଥିଲେ ‘ଡାକ୍ତର ବାବୁ ଆପଣ ମୋ ରୋଗୀକୁ ଆଡମିସନ କରି ଚିକିତ୍ସା କରନ୍ତୁ। ମୁଁ ପରେ ତାର ପରୀକ୍ଷା କରେଇବି। କିନ୍ତୁ ଡାକ୍ତର ବାବୁ କିଛି ଶୁଣିନଥିଲେ। ଏକା ଜିଦ୍ ରକ୍ତ ପରୀକ୍ଷା କଲେ ହିଁ ଚିକିତ୍ସା କରିବି। କୌଣସି ଉପାୟ ନ ପାଇ ଏଏନଏମ ଦିଦି ସ୍କୁଲ ପ୍ରଧାନଶିକ୍ଷକଙ୍କୁ ସମସ୍ତ ଘଟଣା ବିଷୟରେ ଅବଗତ କରେଇଥିଲେ।
ଘଟଣା ବିଷୟରେ ଖବର ପାଇ ପ୍ରଧାନଶିକ୍ଷକ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଫୋନ କରି ଘଟଣା ବିଷୟରେ କହିଥିଲେ। ସ୍ଵାସ୍ଥ୍ୟ ଅଧିକାରୀ କାର୍ଯ୍ୟରତ ଡାକ୍ତରଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ବୁଝିଥିଲେ। ଏତିକି ପରେ ଡାକ୍ତର ନାୟକଙ୍କ ରାଗ ଏତେ ଯେ ସେ ଉକ୍ତ ମହିଳାଙ୍କ ସହ ଯୁକ୍ତିତର୍କ କଲେ ଓ ମୋ ନାଁରେ ଅଭିଯୋଗ କରିଛ ବୋଲି ଗାଳିଗୁଲଜ କରିଥିଲେ ଓ ନିଜେ ହିଁ ନିକଟସ୍ଥ ପୁଲିସ ଷ୍ଟେସନରେ ଏଏନଏମଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଇଥିଲେ। ପୁଲିସ ଏତଲାକୁ ଆଧାର କରି ଡାକ୍ତରଖାନାରେ ପହଞ୍ଚି ମହିଳାଙ୍କୁ ଘଟଣା ବିଷୟରେ ପଚରା ଉଚରା କରିଥିଲା।
ସ୍ୱାସ୍ଥ୍ୟ ଅଧିକାରୀ ଘଟଣା ସମ୍ପର୍କରେ ଡଃ ନାୟକଙ୍କ ସହ ଯୋଗାଯୋଗ କରିବା ପରେ ଡଃ ନାୟକ ରାଗରେ ରୋଗୀ ସେବା ଛାଡ଼ି ନିଜ ବିଶ୍ରାମ କକ୍ଷକୁ ଚାଲିଯାଇଥିଲେ। ଅନ୍ୟ ସ୍ଵାସ୍ଥ୍ୟ କର୍ମଚାରୀ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦେବା କ୍ଷଣି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତରଖାନାରେ ପହଁଚି ରୋଗୀର ଆଡମିସନ କରିବା ସହ ଚିକିତ୍ସା କରିଥିଲେ।
ଏ ଘଟଣା ସମ୍ପର୍କରେ ଆମେ ଖବର ପାଇବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହ ଡାକ୍ତର ସୁବୋଧ ନାୟକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କଲୁ କିନ୍ତୁ ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁପସ୍ଥିତ ଥିଲେ। ପୁଣି ତାଙ୍କୁ ତାଙ୍କ ମୋବାଇଲରେ କଲ କରିଥିଲୁ ତାଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ। କିନ୍ତୁ ମୋବାଇଲ ରିଙ୍ଗ ହୋଇ କଟିଗଲା ହେଲେ ସେ କଲ ରିସିଭ କରିନଥିଲେ। ଡାକ୍ତରଙ୍କ ଦୁର୍ବ୍ୟବହାର ଯୋଗୁଁ ମହିଳା ଜଣଙ୍କ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିବା ସୁଚନା ମିଳିଛି।
ଗୁରୁତର ଅସୁସ୍ଥ ରୋଗୀକୁ ନେଇ ଆଶ୍ରମ ଯିବା ଅପେକ୍ଷା ଡାକ୍ତରଖାନାରେ ତାକୁ ଆଡମିସନ କରି ତାର ଚିକିତ୍ସା ନିମନ୍ତେ କରିଥିବା ଅନୁରୋଧ ଯୋଗୁଁ କାର୍ଯ୍ୟରତ ଡାକ୍ତର ପୁଲିସ ଡାକି ଥିବାରୁ ସରକାରୀ ମହିଳା ସ୍ଵାସ୍ଥ୍ୟ କର୍ମୀ ଦୁଃଖ ପ୍ରକାଶ କରିଥିବା କହିଛନ୍ତି। ସରକାର ସାଧାରଣ ଜନତାଙ୍କ ସ୍ଵାସ୍ଥ୍ୟ ସେବା ନିମନ୍ତେ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରୁଥିବା ବେଳେ ଏଠି ଜଣେ ମହିଳା ସ୍ଵାସ୍ଥ୍ୟ କର୍ମୀ ଡାକ୍ତରଙ୍କ ଠାରୁ ଏଭଳି ବ୍ୟବହାର ପାଇବା ଦୁଃଖ ଓ ପରିତାପର ବିଷୟ ବୋଲି କହିବା ସହ ଯଦି ଜଣେ ଆଶ୍ରମ ଶିଶୁ ମାନଙ୍କ ଦାୟିତ୍ଵରେ ଥିବା ସରକାରୀ ସ୍ୱାସ୍ଥ୍ୟ କର୍ମଚାରୀ ଡାକ୍ତର ଙ୍କ ଠାରୁ ଏପରି ବ୍ୟବହାର ପାଇବ ତେବେ ସାଧାରଣ ଲୋକଟିଏ କିପରି ବ୍ୟବହାର ପାଉଥିବ ବୋଲି ମହିଳା ସ୍ଵାସ୍ଥ୍ୟ କର୍ମୀ ପ୍ରଶ୍ନ କରିଥିଲେ।