ଜୟପୁର: ସ୍ଥାନୀୟ ଏକ ଘରୋଇ ମହାବିଦ୍ୟାଳୟର ପରିଚାଳନା କମିଟିର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଏହି ମହାବିଦ୍ୟାଳୟରେ ପଢ଼ୁଥିବା ଏବଂ  ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀ ଛାତ୍ରୀଙ୍କୁ ଯୌନନିର୍ଯାତନା ଦେବା ସହ ଅଶୋଭନୀୟ ବ୍ୟବହାର କରୁଥିବା ଅଭିଯୋଗ ଜୟପୁର ଟାଉନଥାନା ପୁଲିସ ନିକଟରେ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ ଦଫା ୩୭୬(୨)(ଏନ), ୩୭୬(୩),୨୯୪, ୩୨୩,୫୦୬ ସହ ୩(ଆଇ) ଆର/ଏସ୍ ଏସସି/ଏସଟି ପ୍ରିଭେନସନ୍ ଆକ୍ଟରେ ମାମଲା ରୁଜୁ କରିଛି। ଜୟପୁର ଏସଡିପିଓ ହରିଶା ବି.ସି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ଅଭିଯୋଗକାରୀ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଟାଉନଥାନାରେ ଡେରା ପକାଇ ରହିଥିଲ। ଟାଉନଥାନ ଅଧିକାରୀ ସତ୍ୟାନନ୍ଦ ପାତ୍ର, ଏସଆଇ ମନିଷା ସାହୁଙ୍କୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେହେଁ ଅଭିଯୁକ୍ତ ଅଧ୍ୟକ୍ଷ ଫେରାର ହୋଇଯାଇଥିଲେ। ନିଜ ମୋବାଇଲ୍ ଫୋନ ସୁଇଚ୍ ଅଫ୍ କରିବା ସହ କଲେଜ, ଛାତ୍ରୀନିବାସରେ ତାଲା ପକାଇ ଦେଇଥିଲେ। ଥାନା ଅଧିକାରୀ ନିଜେ ତାଲା ଭାଙ୍ଗିବାସହ ତାଙ୍କ ସଂପର୍କୀୟଙ୍କୁ ଜିମାରେ ଦେଇଥିଲେ।

Advertisment

ଛାତ୍ରାବାସ ଓକଲେଜରେ ଛାତ୍ରଛାତ୍ରୀଙ୍କ ବହି ଓ ଅନ୍ୟାନ୍ୟ ଜିନିଷପତ୍ର ପୁଲିସ ଉପସ୍ଥିତିରେ କଲେଜ ଓ ଛାତ୍ରାବାସରୁ  ବାହାର କରିଥିଲେ।  ଘଟଣାକୁ ନେଇ  ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ୮ଜଣ ଓ ପ୍ରଥମ ବର୍ଷର ୫ଜଣ ଏଭଳି ୧୩ଜଣ ଛାତ୍ରୀ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଜଣେ ପିଡ଼ୀତା ଛାତ୍ରୀଙ୍କ ଏତଲାକ୍ରମେ ମାମଲା ରୁଜୁ ହୋଇଥିବା କହିଛନ୍ତି ଥାନା ଅଧିକାରୀ।  ପ୍ରକାଶଯୋଗ୍ୟ ଛାତ୍ରୀ ମାନେ ଅଧ୍ୟକ୍ଷଙ୍କ ଏଭଳି ଅଶୋଭନୀୟ ବ୍ୟବହାରରେ ଅତିଷ୍ଟ ହୋଇ ରହିଥିଲେ। ଛାତ୍ରୀଙ୍କୁ କୁଆଡେ ଅଧ୍ୟକ୍ଷ ଯୁକ୍ତ ଦୁଇପରୀକ୍ଷାରେ ଫେଲ କରି ଦେବାର  ଭୟଭୀତ କରିବା ସହ ତାଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବି ବାଧ୍ୟ ‌କରୁଥିବା ଛାତ୍ରୀ ମାନେ କହିଛନ୍ତି। ଆଜି ଜଣେ ଛାତ୍ରୀଙ୍କ ମା’ ଛାତ୍ରୀଙ୍କୁ ଭେଟିବାକୁ ଆସିଥିବା ବେଳେ ଛାତ୍ରୀ ଜଣକ ଏସଂପର୍କରେ କହିଥିଲେ। ପରେ ଅନ୍ୟ ଛାତ୍ରୀ ମାନେ ବି ତାଙ୍କ ମା’ଙ୍କୁ ଜଣାଇଥିଲେ। ଏହା ପରେ ତାଙ୍କ ମା’ ଅଧ୍ୟକ୍ଷଙ୍କୁ ପଚାରିବାରେ ତାଙ୍କୁ ବି ଆଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସମସ୍ତଛାତ୍ରୀ ତା ପରେ ଟାଉନଥାନା‌ରେ ପହଚିଂ ଲିଖିତ ଏତଲା ପୁଲିସକୁ ଦେଇଥିଲେ।

ଅପରପକ୍ଷରେ ଆସନ୍ତା ଫେବ୍ରୁଆରି ମାସରେ ଯୁକ୍ତ ଦୁଇର ପରୀକ୍ଷା ରହିଥିବା ବେଳେ ପରୀକ୍ଷା ପୂର୍ବରୁ ଏଭଳି ସମସ୍ୟାକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି କଲେଜରେ ୩୦ଜଣ ଛାତ୍ର ଓ ୨୨ଜଣ ଛାତ୍ରୀ  ପଢ଼ୁଥିବା ବେଳେ ଏମାନଙ୍କ ଭବିଷ୍ୟତକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଶିକ୍ଷକ ଓ ଅଭିବାଭକଙ୍କ ମଧ୍ୟରେ ସମନ୍ବୟ ବୈଠକ କରି କିଭଳି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ନ ହେବ ସେ ଦିଗରେ ପ୍ରୟାସ କରିବାକୁ ଥାନା ଅଧିକାରୀ ଅଭିଭାବକ ଓ ଶିକ୍ଷକମାନଙ୍କୁ ବୁଝାଇଥିଲେ। ତେବେ ଏହି କଲେଜ ପରି ଅନ୍ୟ ଘରୋଇ କଲେଜ ଗୁଡିକରେ ବି ଏଭଳି କାଣ୍ଡ କାରନାମା ହେଉଥିବା ସଂପର୍କରେ ଚର୍ଚ୍ଚା ଜୋର ଧରିଛି।