ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମୁଖ୍ୟ ତଥା ସହିଦ ରେଣ୍ଡୋ ମାଝୀ ଟିଚିଂ ହସ୍ପିଟାଲରେ ସୋମବାର ରାତିରେ ପ୍ରସୂତି ମହିଳା ଓ ଶିଶୁ ସ୍ବାସ୍ଥ୍ୟ ସେବା (ଏମ୍‌ସିଏଚ୍‌)ର ଚତୁର୍ଥ କୋଠାରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ୨ଘଣ୍ଟାର କସରତ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ୱାର୍ଡରେ ଥିବା ୨୩ ଜଣ ଶିଶୁଙ୍କୁ ଚକ୍ଷୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ପେସେଣ୍ଟ କଲିଂ ସିଷ୍ଟମ୍‌ରେ ସଟ୍‌ସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରି ତୁରନ୍ତ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତକାଲି ରାତି ପ୍ରାୟ ୧୨ଟା ସମୟରେ ନିଅଁା ଲାଗିଯାଇଥିଲା। କିଛି ସମୟ ପରେ ହଠାତ୍‌ ୪ ନମ୍ବର ମହଲା ଧୂଆଁମୟ ହୋଇଯାଇଥିଲା। ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୨ଟି ସିଲିଣ୍ଡର ଯୋଗେ ଗ୍ୟାସ ପ୍ରୟୋଗ କରିଥିଲେ, କିନ୍ତୁ ନିଆଁ ଆୟତ୍ତ ନ ହେବାରୁ ଗୋଟିଏ ସିଓଟୁ ଗ୍ୟାସ ପ୍ରୟୋଗ କରିଥିଲେ। ପରେ ୨ ଜଣ କର୍ମଚାରୀ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧି ଏବଂ ୯ ଜଣ କର୍ମଚାରୀ ୫ଟି ଝରକା ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଫଳରେ, ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ, ନିଆଁ ଯୋଗୁଁ ଚତୁର୍ଥ ମହଲା ପୋଡ଼ି ଛାରଖାର ହୋଇଯାଇଛି। ଚତୁର୍ଥ ମହଲାର ଡ଼୍ୟୁଟି ରୁମ, କାନ୍ଥଫ୍ୟାନ, ସିଲିଂ ଫ୍ୟାନ ସମେତ ବିଭିନ୍ନ ସାମଗ୍ରୀ ସମ୍ପୂର୍ଣ୍ଣ ରୂପେ ପୋଡ଼ି ଯାଇଛି। ଅନ୍ୟପଟେ, ଚତୁର୍ଥ ମହଲାକୁ ଖାଲି କରାଯିବ ସହିତ ୨୩ ଜଣ ଶିଶୁଙ୍କୁ ଷ୍ଟ୍ରେଚର୍‌ରେ ତଳକୁ ନିଆଯାଇଥିଲା। ଶିଶୁ, ଗର୍ଭବତୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭୟରେ ବାହାରକୁ ଚାଲି ଯାଇଥିଲେ। ଲିଫ୍ଟ ବନ୍ଦ ଥିବା ଯୋଗୁଁ ଶିଡ଼ିରେ ଜୀବନ ବିକଳରେ ଚିତ୍କାର କରି ଜୀବନ ବଞ୍ଚାଇବାକୁ ତଳକୁ ଓହ୍ଲାଇଥିଲେ। କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଭୟର ବାତାବରଣ ଖେଳି ଯାଇଥିଲା।

କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ପୁଲିସ ଏସପି ଅଭିଳାଷ ଜି., ସିଡିଏମ୍‌ଓ ଡା. ସୁଚେତା ପାଣି ଓ ଟାଉନ ଥାନା ଆଇଆଇସି ଯଶୋବନ୍ତ ହିଆଲ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ତଦାରଖ କରିଥିଲେ। ଏହି ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ରଞ୍ଜନ ମିତ୍ରଙ୍କୁ କଳାହାଣ୍ଡି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଏନେଇ ସବିଶେଷ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।
ତେବେ, ଏହି ଟିଚିଂ ହସ୍ପିଟାଲର ଅଧୀକ୍ଷକ ଦାୟିତ୍ବରେ ଥିବା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜର ଡିନ୍‌ ଡା. ବସନ୍ତ ପ୍ରଧାନ କିମ୍ବା ଅନ୍ୟ କୌଣସି ଅଧିକାରୀ ଗତକାଲି ରାତି ଓ ଆଜି ଦିନତମାମ ଭବାନୀପାଟଣା ଡାକ୍ତରଖାନାକୁ ଆସି ନଥିଲେ।