ଛେଣ୍ଡିପଦା ଡାକ୍ତରଖାନାରେ ଅଗ୍ନିକାଣ୍ଡ, ପୋଡ଼ିଗଲା ୫ ଲକ୍ଷର ଯନ୍ତ୍ରପାତି

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସୂତି କକ୍ଷରେ ଗୁରୁବାର ଭୋର ପ୍ରାୟ ୪ଟାବେଳେ ଅଗ୍ନିକାଣ୍ଡ ଘଟିଥିଲା। ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗି ୫ ଲକ୍ଷରୁ ଅଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ିଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ କୌଣସି ରୋଗୀ କିମ୍ବା ସେମାନଙ୍କ ସଂପର୍କୀୟଙ୍କ କିଛି ହୋଇ ନାହିଁ।

ସୂଚନା ଅନୁଯାୟୀ, ପ୍ରସୂତି କକ୍ଷରୁ ଧୂଆଁ ବାହାରୁଥିବା ଭୋର ୪ଟାବେଳେ ସ୍ବାସ୍ଥ୍ୟକେନ୍ଦ୍ରର କେତେକ କର୍ମଚାରୀ ଦେଖିଥିଲେ। ସଙ୍ଗେ ସଙ୍ଗେ ସେମାନେ ନିକଟରେ ଥିବା ରୋଗୀ, ସେମାନଙ୍କ ସଂପର୍କୀୟ ଓ ଅନ୍ୟ କର୍ମଚାରୀଙ୍କୁ ତୁରନ୍ତ ବାହାରକୁ ବାହାର କରି ଦେଇଥିଲେ। ଅଗ୍ନିକାଣ୍ଡରେ ପ୍ରସୂତି କକ୍ଷରେ ବ୍ୟବହାର ପାଇଁ ଥିବା ତୁଳାରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ବ୍ୟାପୀ ଯାଇଥିଲା। ଏହାଦ୍ବାରା ସେଠାରେ ଥିବା ଏସି, ଅକ୍ସିମିଟର, ଅସ୍ତ୍ରୋପଚାର ଯନ୍ତ୍ରପାତି ଜଳି ନଷ୍ଟ ହୋଇଯାଇଛି। ଏହାର ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଡାକ୍ତରଖାନା କର୍ମଚାରୀ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିବା ପରେ ନିଆଁ ଲିଭିଥିଲା।

ସମ୍ବନ୍ଧିତ ଖବର