ରାଉରକେଲା: ଆଜି ଅପରାହ୍ଣ ପ୍ରାୟ ଦେଢ଼ଟାରେ ରାଉରକେଲା ସେକ୍ଟର-୬ ଟେଲିଫୋନ୍ ଭବନ ପାର୍ଶ୍ବ ଦୁର୍ଗାପୂଜା ମଣ୍ଡପରେ ଘଟିଛି ଅଭାବନୀୟ ଘଟଣା। ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ନିଆଁରେ ପୋଡ଼ିହୋଇ ଜଣେ ନାବାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ତା’ର ୫ ସାଙ୍ଗ। ମୃତକ ହେଲେ ଟେଲିଫୋନ୍ ଭବନ ବସ୍ତିର ଲକି ମହାରଣା (୧୦) ଓରଫ୍ ବାଦଲ। ସେକ୍ଟର-୭ ପୁଲିସ ନାବାଳକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ପଠାଇଛି। ଆର୍ଏସ୍ପି ଅଧିକାରୀ, ପୁଲିସ ଓ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତଦନ୍ତ କରୁଛନ୍ତି। ସେପଟେ ବସ୍ତିବାସିନ୍ଦା ମୃତ ନାବାଳିକାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।
ଏଭଳି ଦୁଃଖଦ ଖବରକୁ ନେଇ ସେକ୍ଟର-୬ ବସ୍ତିରେ ଶୋକର ଛାୟା ଖେଳିଯାଇଛି। ସେକ୍ଟର-୬ ଟେଲିଫୋନ୍ ଭବନ ବସ୍ତିରେ ଅଜୟ ମହାରଣା, ପତ୍ନୀ ଲକ୍ଷ୍ମୀ ଓ ତାଙ୍କର ଦୁଇ ପୁଅ ଲକି ଓ ଅଙ୍କିତ ରହନ୍ତି। ଅଜୟ ସେକ୍ଟର-୭ ମାର୍କେଟରେ କୁକୁଡ଼ା ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ପତ୍ନୀ ଲକ୍ଷ୍ମୀଙ୍କ ଦେହ ଖରାପ ଥିବାରୁ ଗତ କିଛି ଦିନ ଧରି ବଡ଼ପୁଅ ଲକି ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉନଥିଲେ। ଘରେ ମା’ଙ୍କର ଦେଖାରଖା କରୁଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରେ ଲକି ଦୁର୍ଗାପୂଜା ମଣ୍ଡପକୁ ଖେଳିବାକୁ ପହଞ୍ଚିଥିଲେ। ପରେ ପରେ ସେହି ବସ୍ତିର ରାଘବ ଲୋହାର (୧୩), ତା’ର ସାନ ଭାଇ ଶୁଭମ ଲୋହାର (୯), ବିବେକ ନାୟକ (୧୧), ତା’ର ସାନ ଭାଇ ଆରିୟନ ନାୟକ (୭) ଓ ସୁନ୍ଦରଜିତ ନାୟକ (୧୫) ସେଠାରେ ପହଞ୍ଚିଥିଲେ। ସୁନ୍ଦରଜିତ୍ ବାହାରେ ଥିଲେ।
ଲକି ଓ ତା’ର ଅନ୍ୟ ୫ ସାଙ୍ଗ ଲୁହା ବ୍ୟାରିକେଡ୍ ଡେଇଁ ପୂଜାମଣ୍ଡପ ଭିତରେ ପଶି ଖେଳୁଥିଲେ। ଅପରାହ୍ଣ ପ୍ରାୟ ୧.୩୦ ରେ ହଠାତ୍ ନିଆଁ ଲାଗିଯାଇଥିଲା। ମଣ୍ଡପ ଭିତରେ ଟେଣ୍ଟହାଉସ୍ର କପଡ଼ା, ବାଉଁଶ ଓ କିଛି କାଠପଟା ଥିବାରୁ ନିଆଁ ଚତୁଃପାର୍ଶ୍ବକୁ ବ୍ୟାପି ଯାଇଥିଲା। ଅନ୍ୟ ପିଲାମାନେ କୌଣସି ପ୍ରକାରେ ବାହାରି ଆସିଥିବା ବେଳେ ଲକି ନିଆଁ ଭିତରେ ଫସି ଯାଇଥିଲେ। ମଣ୍ଡପ ବାହାରେ ସୁନ୍ଦରଜିତ୍ ପାଟିକରି ଆଖପାଖ ଓ ବସ୍ତିର ଲୋକଙ୍କୁ ଡାକିଥିଲେ। ମଣ୍ଡପରେ ନିଆଁ ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଲକିକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। କିଛି ସମୟ ପରେ ଉଭୟ ଓଡ଼ିଶା ଅଗ୍ନିଶମ ସେବା କର୍ମଚାରୀ ଓ ଆର୍ଏସ୍ପି ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିଥିଲେ। ସେତେବେଳକୁ ଲକି ସମ୍ପୂର୍ଣ୍ଣ ଜଳି ଯାଇଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଏ ନେଇ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/26/jTWmIKXSNX95V4gJlqGb.jpg)