କୋରାପୁଟ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଏସ୍ଏନ୍ସିୟୁରେ ଅଗ୍ନିକାଣ୍ଡ ଘଟିଛି। ପ୍ୟାନେଲ୍ ବୋର୍ଡରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗିବା ପରେ ଏସ୍ଏନ୍ସିୟୁ କୋଠରୀ ଧୂଆଁମୟ ହୋଇ ପଡ଼ିଥିଲା। ମେଡିକାଲ କଲେଜ ଓ ଏସ୍ଏନ୍ସିୟୁ କର୍ମଚାରୀ ଚିକିତ୍ସିତ ୪୨ ନବଜାତ ଶିଶୁଙ୍କ ସହ ପ୍ରସୂତିଙ୍କୁ ପୁରୁଣା ଏସ୍ଏନ୍ସିୟୁ ତଥା ବର୍ତ୍ତମାନର ମେଡିସିନ୍ ଓ ସର୍ଜରି ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସେହିପରି ମାତୃ ୱାର୍ଡରୁ ୭ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏଭଳି ଅଘଟଣକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼।
ପୂର୍ବାହ୍ନ ସାଢ଼େ ୧୧ଟାରେ ଏସ୍ଏନ୍ସିୟୁରେ ଥିବା ପାୱାର ସପ୍ଲାଇ ପ୍ୟାନେଲ ବୋର୍ଡରେ ନିଆଁ ଲାଗି ଯାଇଥିଲା। କୋଠରି ଚାରିପଟ ଧୂଆଁମୟ ହେବା ପରେ ଏସ୍ଏନ୍ସିୟୁରେ ଥିବା ୩ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇ ପଡ଼ିଥିଲା। ଖବର ପାଇ ହସ୍ପିଟାଲରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ୍ ଓ ଡାକ୍ତର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସାଧୀନ ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କୁ ସ୍ଥାନାନ୍ତର କରିଥିଲେ। ଆଟେଣ୍ଡାଣ୍ଟ୍ମାନେ ଶିଶୁଙ୍କୁ ନେଇ ଦୁଇ ଆଇସିୟୁରେ ଭର୍ତ୍ତି କରିଥିଲେ। ଏସ୍ଏନ୍ସିୟୁର ଡାକ୍ତରଙ୍କ ସହିତ ଅନ୍ୟ ଡାକ୍ତରୀ ଟିମ୍କୁ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ମୁତୟନ କରାଯାଇଥିଲା। ଖବର ପାଇ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଅଘଟଣ ଏଡ଼ାଇବା ପାଇଁ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ପ୍ୟାନେଲ୍ ବୋର୍ଡରେ ସର୍ଟ ସର୍କିଟ ଯୋଗୁ କେବଳ ଗୋଟିଏ କୋଠରିରେ ନିଆଁ ଲାଗିଥିବା କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ। ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ କଲେଜ ମ୍ୟାନେଜର୍ ଏସ୍. ପଣ୍ଡା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/c8Kbrt9aRLa04he7OCo9.jpg)