ବ୍ରହ୍ମପୁର: ଏମ୍କେସିଜି ବଡ଼ଡାକ୍ତରଖାନାରେ ଆଜି ସର୍ଟସର୍କିଟ୍ ଯୋଗୁ ସେମିନାର୍ ହାଲ୍ରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ କାର୍ଯ୍ୟରତ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ଧରଣର ବିପଦକୁ ଟାଳି ଦିଆଯାଇଛି। ଏମ୍କେସିଜି ବଡ଼ଡ଼ାକ୍ତରଖାନାରେ ଥିବା ସେଣ୍ଟ୍ରାଲ୍ ଆଇସିୟୁ କୋଠା ତଥା ଭେଷଜ ପିଜି ବିଭାଗର ତୃତୀୟ ମହଲାରେ ଥିବା ସେମିନାର୍ ହଲ୍ରେ ଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି)ରେ ସର୍ଟସର୍କିଟ କାରଣରୁ ଅପରାହ୍ଣରେ ନିଆଁ ଲାଗିଯାଇଥିଲା। ଆଗାମୀ ଦିନରେ ଏହି ହଲ୍ରେ ବିଦ୍ୟାର୍ଥୀଙ୍କ ପରୀକ୍ଷା ହେବାକୁ ଥିବା ଯୋଗୁ ଏହି ହଲ୍ରେ ରହିଥିବା ଏସିଗୁଡ଼ିକର ଯାଞ୍ଚ ସମୟରେ ହଠାତ ଏକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ନିଆଁ ଲାଗିଯାଇଥିଲା।
ମେକାନିକ୍ ଜଣକ ଦାୟିତ୍ବରେ ଥିବା ସୁପରଭାଇଜରଙ୍କୁ ଜଣାଇବା ପରେ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଆଲୋକ ଜେନା, ପ୍ରଭାତ ବେହେରା, ବବି ପାତ୍ର, ଅନୀଲ ଦାସ ହଲ୍ ନିକଟରେ ଥିବା ଅଗ୍ନିନିର୍ବାପକ ଯନ୍ତ୍ର ଦ୍ବାରା ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ଆୟତ୍ତ ହୋଇଯାଇଥିଲା। ଅଗ୍ନିକାଣ୍ଡ ସଂପର୍କରେ ସୁପରଭାଇଜର୍ ମନୋଜ କୁମାର ନାୟକ କହିଛନ୍ତି ଯେ ଏସି କାମ ତଦାରଖ ସମୟରେ ସର୍ଟସର୍କିଟ୍ କାରଣରୁ ନିଆଁ ଲାଗିଥିଲା। ତେବେ ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ଏଥିପୂର୍ବରୁ ବି ଏମ୍କେସିଜିରେ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ନଜିର ରହିଛି। ଛାତରୁ ସିଲିଂ ଖସିବା, ଅଗ୍ନିକାଣ୍ଡ ଘଟିବା, ରୢାଗିଂ, କନିଷ୍ଠ ଓ ବରିଷ୍ଠ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଭଳି ଘଟଣାକୁ ନେଇ ଏମ୍କେସିଜି ଦୁର୍ନାମ ମୁଣ୍ଡାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/08/wF5mJfv5Lo7gftlMkZLE.jpg)