ଘରୋଇ ହସ୍ପିଟାଲରେ ନିଆଁ, ୭ ଦିନର ଶିଶୁ ଗୁରୁତର

୭ ଦିନର ଶିଶୁ ଗୁରୁତର
ଅଗ୍ନିଶମ, ମେଡ଼ିକାଲ ଟିମ୍‌ର ଯାଞ୍ଚ

ରାଉରକେଲା : ସିଭିଲ୍‌ ଟାଉନ୍‌ସିପ୍‌ସ୍ଥିତ ‘ଓମ୍‌ ଆପୋଲୋ ହସ୍ପିଟାଲ’ରେ ଆଜି ଭୋର ସାଢ଼େ ୪ଟାରେ ଅଗ୍ନିକାଣ୍ଡ ଘଟି ଫଟୋଥେରାପି ମେସିନ୍‌ ଜଳିଯିବା ସହ ସେଠାରେ ଚିକିତ୍ସାଧୀନ ୭ ଦିନର ଶିଶୁପୁତ୍ରର ଶରୀର ୮୦ ଭାଗ ଜଳିଯାଇଛି। ଅନ୍ୟ ଦୁଇ ଜଣ ଶିଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅର୍ଦ୍ଧଦଗ୍ଧ ଶିଶୁଟି ଦେଓଗାଁ ଅଞ୍ଚଳର ମନୋଜ କୁମାର ଦାସଙ୍କ ପୁଅ। ଗୁରୁତର ଅବସ୍ଥାରେ ଶିଶୁପୁତ୍ରକୁ ପ୍ରଥମେ ସିଭିଲ୍‌ ଟାଉନ୍‌ସିପ୍‌ସ୍ଥିତ ‘ଆସ୍ଥା ମଦର ଚାଇଲ୍‌ଡ କେୟାର ହସ୍ପିଟାଲ’କୁ ଅଣାଯିବା ପରେ ସେଠାରୁ ତୁରନ୍ତ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି।

ଖବର ପାଇ ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ବେହେରା, ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମ୍‌ଓ) ଡାକ୍ତର ରାମଚନ୍ଦ୍ର ବେହେରା, ସହକାରୀ ଚିକିତ୍ସା ଅଧିକାରୀ ଡାକ୍ତର ଶଶାଙ୍କ କବି ଶତପଥୀ ଓ ସାଇଣ୍ଟିଫିକ୍‌ ଟିମ୍‌ ଓମ୍‌ ଆପୋଲୋ ହସ୍ପିଟାଲରେ ପହଞ୍ଚି ପୃଥକ ପୃଥକ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ସତ ଲୁଚାଇବାକୁ ଯାଇ ଅଘଟଣ ସମ୍ପର୍କରେ ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେଇନଥିଲେ। ବାହାରୁ ଖବର ପାଇ ସକାଳ ପ୍ରାୟ ସାଢ଼େ ୭ଟାରେ ଅଗ୍ନିଶମ କର୍ମଚାରୀ ହସ୍ପିଟାଲରେ ପହଞ୍ଚିଥିଲେ। ସେତେବେଳେକୁ ହସ୍ପିଟାଲ କର୍ମଚାରୀମାନେ ଅଗ୍ନିନିର୍ବାପକ ଯନ୍ତ୍ର ସହାୟତାରେ ନିଆଁକୁ ଆୟତ୍ତ କରି ଫଟୋ ଥେରାପି ରୁମ୍‌କୁ ଖାଲି କରି ଦେଇଥିଲେ ବୋଲି ରାଉରକେଲା ଅଗ୍ନିଶମ ଅଧିକାରୀ ସରୋଜ ବେହେରା କହିଛନ୍ତି। କେବଳ ଏତିକି ନୁହେଁ, ପ୍ରମାଣ ନଷ୍ଟ କରିବାକୁ ଧୂଆଁ ଓ ପୋଡ଼ାଦାଗକୁ ହସ୍ପିଟାଲ କର୍ମଚାରୀମାନେ ସଫା କରି ଦେଇଥିବା ଯାଞ୍ଚବେଳେ ସାଇଣ୍ଟିଫିକ୍‌ ଟିମ୍‌ ଦେଖିବାକୁ ପାଇଛି। ଅନ୍ୟପଟେ ଆର୍‌ଜିଏଚ୍‌ର ଡେପୁଟି ସିଏମ୍‌ଓ ଡାକ୍ତର ଶତପଥୀ କହିଛନ୍ତି, ହସ୍ପିଟାଲର ଲାଇସେନ୍ସ ଅବଧି ଗତ ୨୦୧୭ ଅଗଷ୍ଟ ୧୭ରୁ ଶେଷ ହୋଇଛି। କେଉଁ ପରିସ୍ଥିତିରେ ଫେଟୋ ଥେରାପି ମେସିନ୍‌ରେ ନିଆଁ ଲାଗିଲା, ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ତା’ର ବିସ୍ତତ ରିପୋର୍ଟ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ପଠାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର