କଟକ : ବାଦାମବାଡ଼ି ସିଟି ଷ୍ଟାଇଲ୍ ସପିଙ୍ଗ୍ ମଲ୍ ଅଗ୍ନିକାଣ୍ଡ ଘଟଣାରେ ମଲ୍ ମାଲିକଙ୍କ ପାଇଁ ଅଡ଼ୁଆ ବଢ଼ିଲା । ଅଗ୍ନିଶମ ବିଭାଗ ନିକଟରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଏବଂ ସିଡିଏର କୋଠା ପ୍ଲାନ୍ ଅନୁମୋଦନ ସଂକ୍ରାନ୍ତ କାଗଜପତ୍ର ଦାଖଲ କରି ନପାରିବା ଅଭିଯୋଗରେ ବିଭାଗ ପକ୍ଷରୁ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଛି । ମଲ୍ ମାଲିକଙ୍କ ସମେତ ୪ ଜଣଙ୍କ ବିରୋଧରେ ଏତଲା ଦିଆଯାଇଛିା ମଲ୍ ମାଲିକ କଲିକତାର ରାଜୀବ ଗୋଏଙ୍କା, ମଲ୍ର ଏରିଆ ମ୍ୟାନେଜର ଭୁବନେଶ୍ୱର ଇନ୍ଫୋସିଟି ଅଞ୍ଚଳର ମାନସ ରଞ୍ଜନ ପୁରୋହିତ, ବାଲେଶ୍ୱର ଜିଲ୍ଲା କମର୍ଦାର ଆସିଷ୍ଟାଣ୍ଟ ମ୍ୟାନେଜର ସଂଜୟ ଦାସ ଏବଂ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ମାନସ ଦାସଙ୍କ ବିରୋଧରେ ବାଦାମବାଡ଼ି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରବିବାର ଦିନ ପ୍ରାୟ ୧୧ଟା ବେଳେ ସିଟି ଷ୍ଟାଇଲ୍ ସପିଙ୍ଗ୍ ମଲ୍ ସମେତ ୫ଟି ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟଣାରେ କଠୋର ହୋଇଛି ଅଗ୍ନିଶମ ବିଭାଗ । ଗତ ସୋମବାର ଠାରୁ ଅଗ୍ନିଶମ ବିଭାଗର ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ତଦନ୍ତ କମିଟି ଘଟଣାର ସରଜମିନ ତଦନ୍ତ କରିଥିଲା। ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିଲା, ମଲ୍ ମାଲିକ ଅଗ୍ନିଶମ ବିଭାଗ ନିକଟରୁ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଗ୍ରହଣ କରିବାକୁ ଆବେଦନ କରି ନଥିଲେ । ଉକ୍ତ କୋଠାରେ ମଲ୍ ଖୋଲିବା ପାଇଁ ସିଡିଏ ପ୍ଲାନ୍କୁ ଅନୁମୋଦନ କରି ନଥିଲା। ମଲ୍ରେ ଥିବା ସିଡିର ଓସାର ମାତ୍ର ୧.୭ ମିଟର ଏବଂ ମଲ୍ର ପ୍ରସ୍ଥାନ ଦ୍ୱାର ମାତ୍ର .୭୪ ମିଟର୍ ଥିଲା । ମୋଟ ଉପରେ ମାତ୍ର ୪ଟି ଫାୟାର ଏକ୍ସଟିଙ୍ଗଓ୍ଵିଇସର୍ ବ୍ୟବହାର କରାଯାଉଥିଲା । ହୋସ୍ ରିଲ୍ ଥିବା ବେଳେ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା ନଥିଲା। ଟେରାସ ଟ୍ୟାଙ୍କ, ଡାଉନ୍ କମର, ଫାୟାର ଆଲାରାମ୍ ଇତ୍ୟାଦି ମଲ୍ରେ ଖଞ୍ଜା ହୋଇ ନଥିଲା। ନ୍ୟାସ୍ନାଲ ବିଲ୍ଡିଂ କୋଡ୍ର ନିୟମ ଅନୁଯାୟୀ, ମଲ୍ ମାଲିକ କୌଣସି ଗୋଟିଏ ବି ନିୟମ ପାଳନ କରି ନଥିଲେ । ଫଳରେ ମଲ୍ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିଲା । ମାଲିକ ଏବଂ ମଲ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଖାମ୍ଖିଆଲି କାର୍ଯ୍ୟକୁ ଅଗ୍ନିଶମ ବିଭାଗ ତଦନ୍ତ ସମୟରେ ଦାୟୀ କରାଯାଇଛି।
ଆଜି କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇ ବାଦାମବାଡ଼ି ଥାନାରେ ମଲ୍ ମାଲିକଙ୍କ ସମେତ ଚାରି ଜଣଙ୍କ ବିରୋଧରେ ଲିଖିତ ଏତଲା ଦେଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି । ଅନ୍ୟପଟେ ପୁଲିସ ଏତଲା ଆଧାରରେ ଦଫା ୨୮୫, ୩୩୬, ୧୭୭ରେ ଏକ ମାମଲା (କେସ୍ ନଂ ୪୦) ରୁଜୁ କରିଛି । ଆବଶ୍ୟକ ପଡ଼ିଲେ ତଦନ୍ତ ସମୟରେ ଆହୁରି ଦଫା ଲାଗିବାର ସମ୍ଭାବନା ଥିବା ବାଦାମବାଡ଼ି ଥାନା ଅଧିକାରୀ ବିରଞ୍ଚି ପତି କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଚାରି ଜଣିଆ କମିଟିର ତଦନ୍ତ ଚାଲିଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯିବ ବୋଲି ସୂଚନା ମିଳିଛି ।