ବ୍ରହ୍ମପୁର : ବ୍ରହ୍ମପୁର ଦେଇ ଯାଉଥିବା ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ୍(୨୨୬୦୪) ଏକ ବଡ଼ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛି। ବ୍ରହ୍ମପୁର ଷ୍ଟେସନ୍ରେ କାର୍ଯ୍ୟରତ ଜଣେ ଆର୍ପିଏଫ୍ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଗିର ବ୍ୟାଟେରିରେ ଲାଗିଥିବା ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲା। ଏଭଳି ଆକସ୍ମିକ ଘଟଣାରେ କେହି ଆହତ ହୋଇ ନାହାନ୍ତି କିମ୍ବା କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ। ପରିସ୍ଥିତି ସ୍ୱାଭାବିକ ହେବା ପରେ ପ୍ରାୟ ୧୫ମିନିଟ୍ ବିଳମ୍ବରେ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନ୍ରୁ ଖଡ଼ଗପୁର ଅଭିମୁଖେ ଯାତ୍ରା କରିଥିଲା।
ମିଳିଥିବା ସୂଚନା ଅନୁସାରେ, ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ୍ ଟ୍ରେନ୍ ବ୍ରହ୍ମପୁରରେ ପହଞ୍ଚିବାର ସମୟ ସକାଳ ୧୦ଟା ୫୫ମିନିଟ୍ ରହିଛି। ଆଜି ଏହି ଟ୍ରେନ୍ ନିର୍ଦ୍ଧାରିତ ସମୟର ପ୍ରାୟ ୨୦ମିନିଟ୍ ପୂର୍ବରୁ ୧୦ଟା ୩୫ରେ ୧ନମ୍ବର ପ୍ଲାଟଫର୍ମରେ ଆସି ଲାଗିଥିଲା। ଟ୍ରେନ୍ ରହିବା ପରେ ସବୁ କିଛି ସ୍ୱାଭାବିକ ଥିଲା। ଯାତ୍ରୀଙ୍କ ଆତଯାତ ଲାଗି ରହିଥିଲା। ଏହି ସମୟରେ ୨ନମ୍ବର ପ୍ଲାଟଫର୍ମରେ ପାଟ୍ରୋଲିଂ କରୁଥିବା ଆର୍ପିଏଫ୍ର ହେଡ୍ କନଷ୍ଟେବଲ୍ ଭୀମସେନ ମହାନ୍ତି ଟ୍ରେନ୍ର ଏକ ବଗି ତଳୁ କିଛି ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ସେ ନିକଟକୁ ଯାଇ ଦେଖିବା ପରେ ଏସ୍-୩ ବଗିର (କୋଚ୍ ନମ୍ବର-ଏସ୍ଆର୍-୯୮୨୩୧) ତଳେ ଲାଗିଥିବା ବ୍ୟାଟେରି ଜଳୁଥିଲା। ଏ ନେଇ କନଷ୍ଟେବଲ ମହାନ୍ତି ତୁରନ୍ତ କଣ୍ଟ୍ରୋଲ୍ ରୁମ୍କୁ ଖବର କରିଥିଲେ। ଖବର ପ୍ରଚାର ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଉଠିଥିଲେ। କିଛି ମିନିଟ୍ ମଧ୍ୟରେ ସେଠାରେ ଷ୍ଟେସନ୍ର କର୍ମଚାରୀ ଅଗ୍ନିନିର୍ବାପକ ଯନ୍ତ୍ର ଧରି ପହଞ୍ଚିଥିଲେ। ସେହି ବଗିର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା। ସତର୍କତାମୂଳକ ପଦକ୍ଷେପସ୍ୱରୂପ ଏସ୍-୩ ବଗିର ଯାତ୍ରୀମାନଙ୍କୁ ଟ୍ରେନ୍ରୁ ଓହ୍ଲାଇ ଦିଆଯାଇଥିଲା। ସେହିପରି ଏସ୍-୨ ଏବଂ ଏସ୍-୪ ବଗିର ଯାତ୍ରୀମାନେ ମଧ୍ୟ ତଳକୁ ଓହ୍ଲାଇ ପଡ଼ିଥିଲେ। କିଛି ସମୟ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ୧୫ ମିନିଟ୍ ବିଳମ୍ବରେ ଟ୍ରେନ୍ ଖଡ଼ଗପୁର ଅଭିମୁଖେ ଯାତ୍ରା କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/train-fire.jpg)