ଜଗତସିଂହପୁର: ଜଗତସିଂହପୁର ସହରସ୍ଥିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବ୍ୟାଙ୍କର ପ୍ରାୟ ସବୁ ଆସବାବପତ୍ର, କମ୍ପ୍ୟୁଟର୍ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା। ନିଆଁ ଲିଭାରେ ୪ଟି ଦମକଳ, ଓଡ୍ରାଫ୍ ଟିମ୍ ସାମିଲ ହୋଇଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ନିଆଁ ଲାଗିବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ଲୋକାରଣ୍ୟ ହୋଇ ପଡ଼ିଥିଲା। ଏପରିକି ଭିଡ଼ ହଟାଇବା ପାଇଁ ଅଧିକ ପୁଲିସ ନିୟୋଜିତ କରିବାକୁ ପଡ଼ିଥିଲା। ଏସି ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଦୁଇଟି ଏସିର ପାଇପ୍ ପୋଡ଼ି ଯାଇଥିବାରୁ ସେଠାରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କିନ୍ତୁ ଟଙ୍କା ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଷ୍ଟ୍ରଙ୍ଗରୁମ୍ରେ ଥିବାରୁ କ୍ଷୟକ୍ଷତିରୁ ବର୍ତ୍ତିଯାଇଛି।
ସୂଚନା ଅନୁସାରେ, ସକାଳ ପ୍ରାୟ ୭ଟା ୪୫ରେ ଜଗତସିଂହପୁର ଦୁର୍ଗାବଜାରସ୍ଥିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଶାଖାରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏ ସମ୍ପର୍କରେ ଘର ମାଲିକ ଖବର ପାଇବା ପରେ ବ୍ୟାଙ୍କ କର୍ମଚାରୀଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକ ଖବର ଦେବା ପରେ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ, ସେତେବେଳକୁ ଆସବାବପତ୍ର, କମ୍ପ୍ୟୁଟର୍ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଶାଖା ମୁଖ୍ୟ ସୁଶାନ୍ତ କୁମାର ବେହେରା ଏ ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଫାୟାର ଆଲାର୍ମ ବାଜି ନ ଥିବା ବେଳେ ଅଗ୍ନି ନିର୍ବାପକ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/10/UlJZNC5ANnG0JOCAazhx.jpg)