ରାୟଗଡ଼ା: ନାଗାବଳୀ ନଦୀରେ ଭାସିଯାଇ ଆଜି ପୁଣି ଜଣେ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି। ଭାସି ଯାଉଥିବା ପୁଅକୁ ଉଦ୍ଧାର କରିବା ପାଇଁ ବାପା ନଦୀ ଗର୍ଭକୁ ଡେଇଁଥିଲେ ମଧ୍ୟ ପୁଅକୁ ବଞ୍ଚାଇବାରେ ସକ୍ଷମ ହୋଇନାହାନ୍ତି। ନଦୀରେ ଫସିଥିବା ବାପା ଗୋପାଳକ୍ରିଷ୍ଣା ରାଓକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୬ ବର୍ଷର ପୁଅ ଅମରେଶ ରାଓ ନିଖୋଜ ଅଛନ୍ତି।
ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଗୋପାଳକ୍ରିଷ୍ଣା ନିଜ ପରିବାର ସହ ମା ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ପରେ ସଭିଏଁ ନାଗାବଳୀ ନଦୀ ଉପରେ ଥିବା ଝୁଲା ବ୍ରିଜ ବୁଲିବାକୁ ଯାଇଥିଲେ। କିଛି ସମୟ ବ୍ରିଜ ଉପରେ ବୁଲିବା ପରେ ନଦୀ ତଳକୁ ଓହ୍ଲାଇଥିଲେ। ନିଖୋଜ ଶିଶୁ ଅମରେଶ ନଦୀରେ ହାତ ଧୋଉଥିବା ବେଳେ ତଳକୁ ଖସି ଯାଇଥିଲେ। ଚିତ୍କାର ଶୁଣି ବାପା ଗୋପାଳକ୍ରିଷ୍ଣା ପୁଅକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଥିଲେ ମଧ୍ୟ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ। ପ୍ରବଳ ପାଣି ଯୋଗୁ ବାପା ମଧ୍ୟ ନଦୀରେ ଭାସି ଯାଇଥିଲେ। ଏକ ପଥରକୁ ଧରି ବାପା ନିଜ ଜୀବନ ବଞ୍ଚାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ରାୟଗଡ଼ା ପୁଲିସ ପହଞ୍ଚି ବାପା ଗୋପାଳକ୍ରିଷ୍ଣାଙ୍କୁ ଉଦ୍ଧାର କରିଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ଏଯାବତ ନିଖୋଜ ପୁଅର ସନ୍ଧାନ ମିଳିପାରିନି।