ଷ୍ଟେସନ୍‌ ଅଫିସର୍‌ଙ୍କୁ ‘ତଦନ୍ତ’ ତାଲିମ୍‌

ଥାନା ଶୈଳୀରେ ଅଗ୍ନିଶମ ବିଭାଗ କରିବ ମାମଲା

ସାଢ଼େ ଚାରି ହଜାର ପ୍ରତିଷ୍ଠାନକୁ ସମୂହ ନୋଟିସ୍‌

କଟକ : ଏଣିକି ବ୍ୟବସାୟିକ ପ୍ରତିଷ୍ଠାନରେ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ନଥିଲେ ମାମଲା ରୁଜୁ କରିବ ଅଗ୍ନିଶମ ବିଭାଗ । ରାଜ୍ୟର ପ୍ରତ୍ୟେକ ଷ୍ଟେସନ୍‌ର ଷ୍ଟେସନ୍‌ ଅଫିସରଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯିବ। ଥାନା ସ୍ତରରେ ଅପରାଧୀକ ମାମଲାର ପଞ୍ଜିକରଣ ଏବଂ ତଦନ୍ତ ଶୈଳୀ ଅଗ୍ନିଶମ ବିଭାଗ ମଧ୍ୟ ଅନୁସରଣ କରିବ। ନୂଆ ନିୟମ ଲାଗୁ ପରେ, କିଭଳି ମାମଲାର ତଦନ୍ତ କରାଯିବ, ସେ ସମ୍ପର୍କରେ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଜିଲ୍ଲାଓ୍ଵାରି ଷ୍ଟେସନ୍‌ ଅଫିରଙ୍କୁ ପର୍ଯ୍ୟାୟକ୍ରମେ ଟ୍ରେନିଂ ଦିଆଯାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ପାଖାପାଖି ସାଢ଼େ ଚାରି ହଜାରରୁ ଅଧିକ ବ୍ୟବସାୟୀକ ପ୍ରତିଷ୍ଠାନକୁ ନିୟମ ଖିଲାପ ଅଭିଯୋଗରେ ଅଗ୍ନିଶମ ବିଭାଗ ପକ୍ଷରୁ ସମୂହ ନୋଟିସ୍‌ ଜାରି କରାଯାଇଥିବା ସୂଚନା ମିଳିଛି ।

ରାଜ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ୨୦୧୭ ଅଗଷ୍ଟ ୪ ତାରିଖରେ ରାଜ୍ୟରେ ଓଡ଼ିଶା ଫାୟାର ଫ୍ରିଭେନ୍‌ସନ୍‌ ଆଣ୍ଡ ଫାୟାର ରୁଲ୍‌ ଲାଗୁ ହେବା ପରେ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟରେ ଏୟାରପୋର୍ଟ, ମାର୍କେଟ୍‌ କମ୍ପ୍ଲେକ୍ସ, ସିନେମା ହଲ୍‌, ନର୍ସିଂ ହୋମ୍‌, ଶିକ୍ଷାନୁଷ୍ଠାନ, ହୋଟେଲ୍‌, ଆପାର୍ଟମେଣ୍ଟ, ସପିଂ ମଲ୍‌ ପାଖାପାଖି ୪ ହଜାର ୫୦୦ ତାଲିକା ପ୍ରାଥମିକ ପର୍ଯ୍ୟାୟରେ ପ୍ରସ୍ତୁତ କରାଯାଇଛି । ଏହି ସଂଖ୍ୟା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ କିମ୍ବା ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ ଅନୁଯାୟୀ ନଥିବା ଯାଞ୍ଚରୁ ଜଣାପଡ଼ିଛି । ତେଣୁ ସେମାନଙ୍କୁ ନୋଟିସ୍‌ ଜାରି କରାଯାଇଛି ।

ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ ଉଲ୍ଲେଖ ରହିଛି କି, ଓଡ଼ିଶା ଫାୟାର ଫ୍ରିଭେନ୍‌ସନ୍‌ ଆଣ୍ଡ ଫାୟାର ରୁଲ-୧୧ ଅନୁଯାୟୀ, ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ହାସଲ କରିଛନ୍ତି ନା ନାହିଁ । ଯଦି ରଖି ନାହାନ୍ତି, ତେବେ ରୁଲ୍‌ ୧୩(୧) ଆଧାରରେ ୩ ନମ୍ବର ଫର୍ମ ପୂରଣ କରି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ଆବେଦନ କରିବାକୁ ନୋଟିସ୍‌ରେ ଦର୍ଶାଇଯାଇଛି । ରୁଲ୍‌ ୧୩(୧) ଏବଂ ୧୪(୨) ଅନୁଯାୟୀ, ସମ୍ପୃକ୍ତ ଅନୁଷ୍ଠାନ ସାର୍ଟିଫିକେଟ୍‌ ବାବଦ ଟ୍ରେଜେରୀ ଚାଲାଣ ଜମା କରିବାକୁ କୁହାଯାଇଛି ।

୨୦୧୭ ଅଗଷ୍ଟ ୪ ତାରିଖରୁ ଲାଗୁ ହୋଇଥିବା ଉପରୋକ୍ତ ଆଇନ ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ଖିଲାପ କଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିଜେ ଅଗ୍ନିଶମ ବିଭାଗ ଅଭିଯୁକ୍ତ ପ୍ରତିଷ୍ଠାନ ବିରୋଧରେ ଏଣିକି ମାମଲା ରୁଜୁ କରିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ସଂକ୍ରାନ୍ତରେ ନୋଟିସ୍‌ରେ ମଧ୍ୟ ଉଲ୍ଲେଖ କରାଯାଇଛି । ନୂଆ ନିୟମ ଲାଗୁ ପରେ ପ୍ରଥମ ଥର ପାଇଁ ଜିଲ୍ଲା ଓ୍ଵାରି ଅଗ୍ନିଶମ ବିଭାଗର ଷ୍ଟେସନ୍‌ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛି ଅଗ୍ନିଶମ ବିଭାଗ । ଖିଲାପକାରୀଙ୍କ ବିରୋଧରେ କିଭଳି ମାମଲା ରୁଜୁ କରାଯିବ, ସେ ନେଇ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ଷ୍ଟେସନ୍‌ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରୁନଥିବା ପ୍ରତିଷ୍ଠାନଗୁଡ଼ିକୁ ନୋଟିସ୍‌ ଜାରି କରାଯିବ । ଧାର୍ଯ୍ୟ ସମୟ ମଧ୍ୟରେ ନିୟମ ନମାନିଲେ ପିଏଚ୍‌ଡିକୁ ସମ୍ପୃକ୍ତ ପ୍ରତିଷ୍ଠାନର ଜଳ ଯୋଗାଣ ସଂଯୋଗ ଏବଂ ବିଦ୍ୟୁତ ବିଭାଗକୁ ବିଦ୍ୟୁତ ସେବା ବିଚ୍ଛିନ୍ନ ସଂକ୍ରାନ୍ତରେ କିଭଳି ଚିଠି କରାଯିବ ସେ ନେଇ ଷ୍ଟେସନ୍‌ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ଉକ୍ତ ଦୁଇ ବିଭାଗ ଯଦି ନିୟମ ନମାନିଲେ ଏ ସଂକ୍ରାନ୍ତରେ ଅଗ୍ନିଶମ ବିଭାଗ ମୁଖ୍ୟାଳୟରେ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଅବଗତ କରାଯିବ। ପରେ ଖିଲାପକାରୀ ପ୍ରତିଷ୍ଠାନ ବିରୋଧରେ ଥାନାରେ ମାମଲା ରୁଜୁ ଶୈଳୀରେ ଫାୟାର ଷ୍ଟେସନ୍‌ରେ ମାମଲ ରୁଜୁ ହେବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର